୭୨ତମ ଓଡ଼ିଶା ସିନିୟର ଆଥଲେଟିକ୍ସ ମିଟ୍ରେ ବାଲେଶ୍ୱରର ସଫଳତା, ଜିଲ୍ଲା ପାଇଁ ଗର୍ବର ମୁହୂର୍ତ୍ତ
ବାଲେଶ୍ୱର: ୭୨ତମ ଓଡ଼ିଶା ସିନିୟର ଆଥଲେଟିକ୍ସ ମିଟ୍ରେ ବାଲେଶ୍ୱର ଜିଲ୍ଲାର ଖେଳାଳିମାନେ ଉଲ୍ଲେଖନୀୟ ସଫଳତା ହାସଲ କରି ଜିଲ୍ଲାର ଗୌରବ ବୃଦ୍ଧି କରିଛନ୍ତି। ଡିସ୍କସ୍ ଥ୍ରୋ ପ୍ରତିଯୋଗିତାରେ ଲକ୍ଷ୍ମୀନାରାୟଣ ଜେନା (ମୁନା) ରୌପ୍ୟ ପଦକ ଜିତିଥିବା ବେଳେ, ୧୧୦ ମିଟର ହର୍ଡଲ୍ସରେ ପୂର୍ଣ୍ଣିମା ସିଂହ ବ୍ରୋଞ୍ଜ ପଦକ ଅର୍ଜନ କରିଛନ୍ତି। ସେହିପରି, କୁନା ମାରାଣ୍ଡି ୧୫୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ସହ ଅନ୍ୟ ଏକ ବିଭାଗରେ ରୌପ୍ୟ ପଦକ ହାସଲ କରି ବାଲେଶ୍ୱରର ନାମକୁ ଉଜ୍ଜ୍ୱଳ କରିଛନ୍ତି।ଏହି ସଫଳତା ବାଲେଶ୍ୱରବାସୀଙ୍କ ପାଇଁ ଗର୍ବର ବିଷୟ। ଖେଳପ୍ରେମୀ ଓ କ୍ରୀଡ଼ାବିଦମାନଙ୍କ ମତରେ, ଯଦି ଖେଳାଳିମାନଙ୍କୁ ଉନ୍ନତ ମାନର ଖେଳ ପଡ଼ିଆ, ରନିଂ ଟ୍ରାକ୍ ଏବଂ ଆବଶ୍ୟକୀୟ ପ୍ରଶିକ୍ଷଣ ସୁବିଧା ଯୋଗାଇ ଦିଆଯାଏ, ତେବେ ଆଗାମୀ ଦିନରେ ସେମାନେ ଅଧିକ ପଦକ ଜିତି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିପାରିବେ। ବର୍ତ୍ତମାନ ସମୟରେ ନୂତନ ପିଢ଼ିର ଅନେକ ଯୁବକ-ଯୁବତୀ ମୋବାଇଲ୍ ଫୋନ୍ରେ ଅଧିକ ସମୟ ବ୍ୟତୀତ କରୁଥିବାରୁ ମାଠ ଖେଳ ପ୍ରତି ଆଗ୍ରହ କମିବାରେ ଲାଗିଛି। ଅନ୍ୟପକ୍ଷରେ କ୍ରିକେଟ୍ ଭଳି ଖେଳ ତୁଳନାରେ ଆଥଲେଟିକ୍ସକୁ ଆବଶ୍ୟକ ଭିତ୍ତିଭୂମି ଓ ସୁବିଧା ମିଳୁନାହିଁ। ତେଣୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଉଛି ଯେ, ଆଥଲେଟିକ୍ସ ପ୍ରତି ଆଗ୍ରହ ରଖୁଥିବା ଖେଳାଳିମାନଙ୍କ ପାଇଁ ଉନ୍ନତ ଖେଳ ପଡ଼ିଆ, ଆଧୁନିକ ଟ୍ରାକ୍ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା ଯୋଗାଇ ଦିଆଯାଉ। ଏହା ଦ୍ୱାରା ଜିଲ୍ଲା ଏବଂ ରାଜ୍ୟରୁ ଅଧିକ ସଂଖ୍ୟାରେ ପ୍ରତିଭାଶାଳୀ ଆଥଲେଟ୍ ସୃଷ୍ଟି ହୋଇପାରିବେ
