ବୌଦ୍ଧରେ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଅଗ୍ରଗତି ସମୀକ୍ଷା : ଶତପ୍ରତିଶତ କଭରେଜ୍ ପାଇଁ ତ୍ୱରିତ ପଦକ୍ଷେପ ଉପରେ ଗୁରୁତ୍ୱ l
ବୌଦ୍ଧ, ୫ /୦୬
ବୌଦ୍ଧ ଜିଲ୍ଲାରେ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି-ପିଏମଜେଏୱାଇ), ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା (ଜିଜେଏୱାଇ) ଅଧୀନରେ କାର୍ଡ ବଣ୍ଟନ ଏବଂ ବୟୋ ବନ୍ଦନା ଯୋଜନା (ଭିଭିୱାଇ) କାର୍ଡ ସୃଷ୍ଟି କାର୍ଯ୍ୟର ଅଗ୍ରଗତି ସମୀକ୍ଷା ନେଇ ଶୁକ୍ରବାର ଜିଲ୍ଲା ପ୍ରଶିକ୍ଷଣ ଗୃହ (ଡିଟିୟୁ), ବୌଦ୍ଧଠାରେ ଏକ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲ୍ଲାର ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧୀକ୍ଷକ, ବ୍ଲକ କାର୍ଯ୍ୟକ୍ରମ ପ୍ରବନ୍ଧକ, ବ୍ଲକ ତଥ୍ୟ ପ୍ରବନ୍ଧକ, ଜନ ସେବା କେନ୍ଦ୍ର (ସିଏସସି)ର ଜିଲ୍ଲା ପ୍ରବନ୍ଧକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା କାର୍ଯ୍ୟକ୍ରମ ପ୍ରବନ୍ଧକ ଏବଂ ରାଜ୍ୟ ସ୍ୱାସ୍ଥ୍ୟ ସମିତିର ଜିଲ୍ଲା ସଂଯୋଜକ ଉପସ୍ଥିତ ଥିଲେ।ବୈଠକରେ ବୌଦ୍ଧ, ହରଭଙ୍ଗା ଓ କଣ୍ଟାମାଳ ବ୍ଲକରେ ଉକ୍ତ କାର୍ଡ ବଣ୍ଟନର ବର୍ତ୍ତମାନ ସ୍ଥିତି ଏବଂ ଅବଶିଷ୍ଟ ହିତାଧିକାରୀଙ୍କ ନିକଟରେ ଶୀଘ୍ର କାର୍ଡ ପହଞ୍ଚାଇବା ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ସମୀକ୍ଷାରୁ ଜଣାଗଲା ଯେ, ଜିଲ୍ଲାରେ ଏପର୍ଯ୍ୟନ୍ତ ଆୟୁଷ୍ମାନ ଭାରତ ଯୋଜନା କାର୍ଡ ବଣ୍ଟନରେ ପ୍ରାୟ ୬୪ ପ୍ରତିଶତ ସଫଳତା ହାସଲ ହୋଇଥିବା ବେଳେ ବୟୋ ବନ୍ଦନା ଯୋଜନା କାର୍ଡ ସୃଷ୍ଟିରେ ପ୍ରାୟ ୧୯ ପ୍ରତିଶତ ଅଗ୍ରଗତି ହୋଇଛି।ଉଭୟ ଯୋଜନାରେ ଜିଲ୍ଲାର ସଫଳତା ହାର ବୃଦ୍ଧି ପାଇଁ ସମସ୍ତ ବ୍ଲକକୁ ସୂକ୍ଷ୍ମ କାର୍ଯ୍ୟଯୋଜନା ପ୍ରସ୍ତୁତ କରି ତ୍ୱରିତ କାର୍ଯ୍ୟାନ୍ୱୟନ କରିବାକୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଆଶା କର୍ମୀମାନଙ୍କ ଦ୍ୱାରା ଗ୍ରାମ ଓ ଘରଭିତ୍ତିକ ତାଲିକା ପ୍ରସ୍ତୁତି, ୭୦ ବର୍ଷରୁ ଊର୍ଦ୍ଧ୍ୱ ଯୋଗ୍ୟ ହିତାଧିକାରୀଙ୍କ ଭିଭିୱାଇ କାର୍ଡ ସୃଷ୍ଟି, ଇ-କେୱାଇସି କାର୍ଯ୍ୟ ସମ୍ପାଦନ ଏବଂ ସିଏସସି କେନ୍ଦ୍ରଗୁଡ଼ିକର ସକ୍ରିୟ ସହଯୋଗ ମାଧ୍ୟମରେ କାର୍ଯ୍ୟକ୍ରମକୁ ଆହୁରି ଗତିଶୀଳ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ପ୍ରତ୍ୟେକ ଗ୍ରାମ ଓ ସହରାଞ୍ଚଳରେ ଯୋଗ୍ୟ ହିତାଧିକାରୀଙ୍କ ଶତପ୍ରତିଶତ କଭରେଜ୍ ସୁନିଶ୍ଚିତ କରିବା ସହ ଜିଲ୍ଲାରେ କାର୍ଡ ବଣ୍ଟନ ଏବଂ ଭିଭିୱାଇ କାର୍ଡ ସୃଷ୍ଟି କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରି ବୌଦ୍ଧ ଜିଲ୍ଲାକୁ ଶତପ୍ରତିଶତ ସଫଳତାରେ ପହଞ୍ଚାଇବା ପାଇଁ ବୈଠକରେ ଆହ୍ୱାନ ଦିଆଯାଇଥିଲା। ଏହି ଅବସରରେ ସ୍ୱାସ୍ଥ୍ୟ ବିଭାଗ, ଜିଲ୍ଲା ପ୍ରଶାସନ ଏବଂ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
