*ଯାଜପୁର ଜିଲ୍ଲାରେ ପୋଲିସ୍ ଉପରୁ ଉଠୁଛି ଜନତାଙ୍କ ବିଶ୍ୱାସ: ପାଣିକୋଇଲିରେ ଦେଖିବାକୁ ମିଳିଛି ଉଦ୍ବେଗଜନକ ଚିତ୍ର*
*ଯାଜପୁର, ତା. 25/05 (ଭଞ୍ଜଦୂତ ଖବର :ସରୋଜ କୁମାର ଧଳ :ନିପ୍ର )
ଯାଜପୁର ଜିଲ୍ଲାରେ ସାଧାରଣ ଜନତା ଏବେ ପୋଲିସ୍ ପ୍ରଶାସନ ଉପରୁ ଆଶା ହରାଉଛନ୍ତି। ସାଧାରଣ ଲୋକଙ୍କ ସମସ୍ୟା ଶୁଣିବା ଓ ତୁରନ୍ତ ପଦକ୍ଷେପ ନେବାର ପୋଲିସ୍ ର ମୂଳ ଦାୟିତ୍ୱକୁ ପ୍ରଶ୍ନବାଚୀ କରୁଛି ପାଣିକୋଇଲି ଥାନା ମୁଖ୍ୟ କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିବା ଦୃଶ୍ୟ।
ସାଧାରଣ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଥାନାରେ ପହଞ୍ଚିବା ପରେ ମଧ୍ୟ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡୁଛି। ଦାୟିତ୍ୱରେ ଥିବା ଅଧିକାରୀଙ୍କ ଅନୁପସ୍ଥିତି ଏବଂ ଅଭିଯୋଗ ପ୍ରତି ଗାମ୍ଭୀର୍ଯ୍ୟର ଅଭାବ ଯୋଗୁଁ ଲୋକେ ନିରାଶ ହୋଇ ଫେରୁଛନ୍ତି। ଫଳରେ ସାଧାରଣ ଜନତାଙ୍କ ମନରେ ପୋଲିସ୍ ଉପରୁ ବିଶ୍ୱାସ କ୍ରମଶଃ କମିବାରେ ଲାଗିଛି।
ପାଣିକୋଇଲି ଅଞ୍ଚଳର ଜଣେ ବରିଷ୍ଠ ନାଗରିକ କହିଛନ୍ତି, “ଆମେ ସମସ୍ୟା ନେଇ ଥାନାକୁ ଯାଉ, କିନ୍ତୁ ସେଠାରେ ଶୁଣିବାକୁ କେହି ନାହାନ୍ତି। ଏମିତି ଚାଲିଲେ ସାଧାରଣ ଲୋକ କାହାକୁ ଭରସା କରିବେ?”
ସ୍ଥାନୀୟ ଲୋକଙ୍କ ମତରେ, ପୋଲିସ୍ ପ୍ରଶାସନ ଯଦି ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ସମସ୍ୟାର ସମାଧାନ କରିବାର ନିଜର ମୂଳ ଦାୟିତ୍ୱ ଠିକ୍ ଭାବରେ ପାଳନ ନକରେ, ତେବେ ଆଇନ୍ ଶୃଙ୍ଖଳା ଉପରେ ମଧ୍ୟ ଏହାର ପ୍ରଭାବ ପଡିବ। ଏନେଇ ଜିଲ୍ଲା ପୋଲିସ୍ ପ୍ରଶାସନର ତୁରନ୍ତ ହସ୍ତକ୍ଷେପ ଲୋଡା କରିଛନ୍ତି ପାଣିକୋଇଲିର ସାଧାରଣ ଜନତା।
ପୋଲିସ୍ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଏବଂ ଜନତାଙ୍କ ବିଶ୍ୱାସ ଫେରାଇବା ପାଇଁ କର୍ତ୍ତୃପକ୍ଷ କେଉଁ ପଦକ୍ଷେପ ନେଉଛନ୍ତି, ତାହା ଉପରେ ଏବେ ସମସ୍ତଙ୍କ ନଜର।
