ଦାଦନ ଚାଲାଣ ଉଦ୍ୟମ ଫଣ୍ଡ, ୧୭ ଦାଦନ ଶ୍ରମିକ ଉଦ୍ଧାର କଲା ସିନାପାଲି ପୁଲିସ
ସିନାପାଲି ୧୪/୧୦ (ଧର୍ମେନ୍ଦ୍ର କୁମାର ଗହିର):(ନିପ୍ର)ଦାଦନ ଶ୍ରମିକ ଚାଲାଣ ଉପରେ ରୋକ୍ ଲଗାଇବାକୁ ନୂଆପଡ଼ା ଜିଲ୍ଲା ପୁଲିସର ତତ୍ପରତା ଜାରି ରହିଛି। ଏହି କ୍ରମରେ ସିନାପାଲି ଥାନା ପୁଲିସ ଗୋଟିଏ ଦିନରେ ଦୁଇଟି ପୃଥକ ଘଟଣାରେ ଗୋଡ଼ାଲ ଛକ ନିକଟରୁ ୧୭ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛି। ଶ୍ରମିକମାନଙ୍କୁ ଅଧିକ ରୋଜଗାରର ପ୍ରଲୋଭନ ଦେଖାଇ ହାଇଦ୍ରାବାଦକୁ ନିଆଯାଉଥିବା ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ପୁଲିସ ଦୁଇଟି ପୃଥକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ପୁଲିସ ସୂଚନା ଅନୁଯାୟୀ, ଦାଦନ ଶ୍ରମିକ ଚାଲାଣ ସମ୍ପର୍କରେ ସୂଚନା ପାଇ ସିନାପାଲି ଥାନାର ଦୁଇଟି ପାଟ୍ରୋଲିଂ ଦଳ ଗୋଡ଼ାଲ ଛକ ନିକଟରେ ପହଞ୍ଚିଥିଲେ। ସେଠାରେ ବସ୍କୁ ଅପେକ୍ଷା କରିଥିବା ଦୁଇଟି ଦଳର ଶ୍ରମିକଙ୍କୁ ପୁଲିସ ଅଟକାଇ ପଚରାଉଚରା କରିଥିଲା। ସେମାନେ କାମ କରିବା ପାଇଁ ତେଲେଙ୍ଗାନାର ହାଇଦ୍ରାବାଦ ଯିବାକୁ ଅପେକ୍ଷା କରିଥିବା ଜଣାପଡ଼ିଥିଲା।
ପ୍ରଥମ ଘଟଣାରେ ୮ ଜଣ ଶ୍ରମିକ ଉଦ୍ଧାର ହୋଇଥିବା ବେଳେ ଦ୍ୱିତୀୟ ଘଟଣାରେ ଆଉ ୯ ଜଣଙ୍କୁ ଉଦ୍ଧାର କରାଯାଇଛି। ପ୍ରଥମ ମାମଲାରେ ସିନାପାଲି ଥାନା କେସ୍ ନଂ ୩୬୩ ଅନୁଯାୟୀ ପାଟିଆଳପଡ଼ା ଗ୍ରାମର ତ୍ରିନାଥ ମାଝୀ (୪୫), ତାଙ୍କ ପତ୍ନୀ କୁନ୍ତଳା ମାଝୀ (୪୨), ଝିଅ ପୂଜା ମାଝୀ (୨୨), ପୁଅ ରାହୁଲ ମାଝୀ (୧୯) ଓ ଦିନବନ୍ଧୁ ମାଝୀ (୨୧)ଙ୍କ ସମେତ ଡୁମେରଯୋର ଗ୍ରାମର ଡାକ୍ଟର ମାଝୀ (୨୪) ଏବଂ ଝାରସୁଗୁଡ଼ା ଜିଲ୍ଲାର ଶ୍ରୀତମ ବାଗ (୨୨) ଓ ତାଙ୍କ ପତ୍ନୀ ଅହଲ୍ୟା ବାଗ ଓରଫ ଦଣ୍ଡସେନା (୧୯) ଉଦ୍ଧାର ହୋଇଛନ୍ତି।
ଦ୍ୱିତୀୟ ମାମଲା କେସ୍ ନଂ ୩୬୪ରେ କଳାହାଣ୍ଡି ଜିଲ୍ଲା ଚଞ୍ଚରାଭାଡ଼ି ଗ୍ରାମର ବଳକୃଷ୍ଣ ନାଗ (୨୦), ତାଙ୍କ ମାଆ କେତକୀ ନାଗ (୫୫), ଭଉଣୀ ସସ୍ମିତା ନାଗ (୨୨) ଓ ଭାଇ ହେମନ୍ତ ନାଗ (୧୮)ଙ୍କ ସମେତ ବଲାଙ୍ଗୀର ଜିଲ୍ଲା ଝଲପ ଗ୍ରାମର ଧନସିଂ ମାଝୀ (୪୮), ତାଙ୍କ ପତ୍ନୀ ଉର୍ମିଳା ମାଝୀ (୪୫), ପୁଅ ଅଜୟ ମାଝୀ (୨୨), ବସୁଦେବ ମାଝୀ (୧୮) ଓ ଅଜୟଙ୍କ ପତ୍ନୀ ସତ୍ୟଭାମା ମାଝୀ (୨୧)ଙ୍କୁ ପୁଲିସ ଉଦ୍ଧାର କରିଛି।
ପୁଲିସର ପ୍ରାଥମିକ ତଦନ୍ତରୁ ଉଭୟ ଘଟଣାରେ ଶ୍ରମିକମାନଙ୍କ ପାଖରେ ଆବଶ୍ୟକ ପରିଚୟ ପାସ୍ବୁକ୍, ଗତିବିଧି ଆଦେଶ ଓ ବୈଧ ଅନୁମତିପତ୍ର ନଥିବା ଜଣାପଡ଼ିଥିଲା। ଏଥିସହ ନିୟମ ଅନୁଯାୟୀ ଯାତ୍ରା ଓ ବିସ୍ଥାପନ ଭତ୍ତା ପ୍ରଦାନ କରାଯାଇନଥିବା ଅଭିଯୋଗ ମଧ୍ୟ ରହିଛି। ଏହି ଘଟଣାରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୪୩(୩)/୩୧୮(୨) ଏବଂ ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ଆଇନ, ୧୯୭୯ର ଧାରା ୨୫ ଅନୁଯାୟୀ ଦୁଇଟି ମାମଲା ରୁଜୁ ହୋଇଛି। ଉଦ୍ଧାର ହୋଇଥିବା ସମସ୍ତ ୧୭ ଜଣ ଶ୍ରମିକଙ୍କୁ ପଚରାଉଚରା ଓ ଆବଶ୍ୟକ ଯାଞ୍ଚ ପରେ ସୁରକ୍ଷିତ ଭାବେ ନିଜ ନିଜ ଘରକୁ ପଠାଇ ଦିଆଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ ପଦକ୍ଷେପ ସହ ଘଟଣାର ଅଧିକ ତଦନ୍ତ ଜାରି ରହିଛି ।
