*ଟାଟା ପାୱାର ମନମାନିପଣ: ପ୍ରଚଣ୍ଡ ଗୁଳୁଗୁଳିରେ ଲାଇନ୍ କାଟ ଚିନ୍ତାର କାରଣ ସାଜିଲା*
*ଯାଜପୁର, ୨୭/୦୫(ଭଞ୍ଜଦୂତ :ସରୋଜ କୁମାର ଧଳ :ନିପ୍ର )
ଯାଜପୁର ଜିଲ୍ଲାରେ ଟାଟା ପାୱାର ମନମାନି କାର୍ଯ୍ୟକଳାପ ଯୋଗୁଁ ସାଧାରଣ ଲୋକେ ଏବେ ହତାଶ ହୋଇପଡିଛନ୍ତି। ପ୍ରଚଣ୍ଡ ଗୁଳୁଗୁଳି ମଧ୍ୟରେ ଅଚାନକ ବିଦ୍ୟୁତ୍ କାଟ ସାଧାରଣ ଜନତାଙ୍କ ପାଇଁ ଚିନ୍ତାର କାରଣ ସାଜିଛି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ପୂର୍ବ ସୂଚନା ବିନା ଦିନକୁ ବାରମ୍ବାର ଲାଇନ୍ କାଟ କରାଯାଉଛି। ଫଳରେ ଘରୋଇ କାମଠାରୁ ଆରମ୍ଭ କରି ବ୍ୟବସାୟୀମାନଙ୍କ ଦୋକାନ ପର୍ଯ୍ୟନ୍ତ ସବୁକିଛି ପ୍ରଭାବିତ ହେଉଛି। ଛାତ୍ରଛାତ୍ରୀମାନଙ୍କ ପାଠପଢା ଓ ଅସୁସ୍ଥ ରୋଗୀମାନଙ୍କୁ ମଧ୍ୟ ବଡ ଅସୁବିଧା ଭୋଗିବାକୁ ପଡୁଛି।
ବିଞ୍ଝାରପୁର ଅଞ୍ଚଳର ଜଣେ ଗୃହିଣୀ କହିଛନ୍ତି, “ଏତେ ଗୁଳୁଗୁଳିରେ ଲାଇନ୍ କାଟ କଲେ ଘରେ ରହିହେବ ନାହିଁ। ଟାଟା ପାୱାର ଆମ କଥା ଶୁଣୁ ନାହିଁ।”
ଲୋକେ କହୁଛନ୍ତି, ଟାଟା ପାୱାର ଯଦି ପୂର୍ବରୁ ସୂଚନା ଦେଇ ନିର୍ଦ୍ଦିଷ୍ଟ ସମୟରେ କାଟ କରେ ତେବେ ଲୋକେ ସେହି ଅନୁଯାୟୀ ପ୍ରସ୍ତୁତି କରିପାରିବେ। ଏନେଇ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ଟାଟା ପାୱାର ଉପରେ କଟକଣା ଲଗାଇବାକୁ ସାଧାରଣ ଜନତା ଦାବି କରିଛନ୍ତି।
