ଦେବଗଡ଼ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ (ଏସ୍ଆଇଆର୍) ପାଇଁ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ
ଦେବଗଡ଼:
ଆଜି ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ (ଏସ୍ଆଇଆର୍) କାର୍ଯ୍ୟକ୍ରମ ସମ୍ପର୍କିତ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଡେପୁଟି କଲେକ୍ଟର (ଇଲେକ୍ସନ) ଏଜଲିନ ବାରାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ବୈଠକରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଅଧ୍ୟକ୍ଷତା କରିଥିଲେ।
ବୈଠକରେ ଜିଲ୍ଲାପାଳ ଶ୍ରୀ ସାହୁ କହିଥିଲେ ଯେ, ଏସ୍ଆଇଆର୍ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୋଗ୍ୟ ମତଦାତାଙ୍କୁ ଭୋଟର ତାଲିକାରେ ପଞ୍ଜୀକରଣ କରିବା ସହିତ ଅଯୋଗ୍ୟ, ଡୁବ୍ଲିକେଟ୍, ସ୍ଥାନାନ୍ତରିତ ଏବଂ ମୃତ ବ୍ୟକ୍ତିଙ୍କ ନାମକୁ ତାଲିକାରୁ ବିଲୋପ କରିବା। ଏହା ଦ୍ୱାରା ଭୋଟର ତାଲିକାର ସଠିକତା ଓ ପାରଦର୍ଶିତା ବୃଦ୍ଧି ପାଇବ।
ସେ କହିଥିଲେ ଯେ, ରାଜନୈତିକ ଦଳମାନେ ସେମାନଙ୍କ ମତାମତ ଜିଲ୍ଲାପାଳ କିମ୍ବା ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ଇଆରଓ)ଙ୍କୁ ଲିଖିତ ଭାବେ ଜଣାଇପାରିବେ। ଏଥିସହ ଇଆରଓମାନଙ୍କୁ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲଓ)ମାନଙ୍କ ସହ ସମନ୍ୱୟ କରି ଏସ୍ଆଇଆର୍ ସମ୍ପର୍କିତ କାର୍ଯ୍ୟ ସଠିକ୍ ଭାବେ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ଜିଲ୍ଲାରେ ୧ ଜୁଲାଇ ୨୦୨୬କୁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରାଯାଇଛି। ଏହି ତାରିଖ ସୁଦ୍ଧା ୧୮ ବର୍ଷ ବୟସ ପୂରଣ କରୁଥିବା ସମସ୍ତ ଯୋଗ୍ୟ ଭାରତୀୟ ନାଗରିକ ମତଦାତା ତାଲିକାରେ ନାମ ଅନ୍ତର୍ଭୁକ୍ତ କରିପାରିବେ। ଏଥିପାଇଁ ସମସ୍ତ ରାଜନୈତିକ ଦଳଙ୍କ ସହଯୋଗ କାମନା କରାଯାଇଛି।
ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ, ୩୦ ମଇରୁ ୨୮ ଜୁନ ୨୦୨୬ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ୩୩୮ ଜଣ ବିଏଲଓ ଘରକୁ ଘର ଯାଇ ପରିଦର୍ଶନ କରିବେ। ୨୮ ଜୁନ ସୁଦ୍ଧା ମତଦାନ କେନ୍ଦ୍ରଗୁଡ଼ିକର ପୁନର୍ବିନ୍ୟାସ କାର୍ଯ୍ୟ ସମାପ୍ତ ହେବ। ୦୫ ଜୁଲାଇରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବା ସହ ୦୫ ଜୁଲାଇରୁ ୦୪ ଅଗଷ୍ଟ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଗ୍ରହଣ କରାଯିବ। ପରବର୍ତ୍ତୀରେ ୦୫ ଜୁଲାଇରୁ ୦୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଦାବି ଓ ଆପତ୍ତିର ସମାଧାନ କରାଯାଇ ୦୬ ସେପ୍ଟେମ୍ବର ୨୦୨୬ରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ।
ଏସ୍ଆଇଆର୍ କାର୍ଯ୍ୟକ୍ରମ ସମୟରେ ବିଏଲଓମାନେ ଘରକୁ ଘର ଯାଇ ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କରିବେ। ପ୍ରତ୍ୟେକ ଭୋଟରଙ୍କୁ ଦୁଇଟି ପୂର୍ବମୁଦ୍ରିତ ପରିଗଣନା ଫର୍ମ ଦିଆଯିବ। ପୂରଣ ହୋଇଥିବା ଗୋଟିଏ ନକଲ ବିଏଲଓ ସଂଗ୍ରହ କରିବେ ଏବଂ ଅନ୍ୟ ନକଲରେ ନିଜ ସ୍ୱାକ୍ଷର କରି ଭୋଟରଙ୍କୁ ରସିଦ ଭାବେ ଫେରାଇ ଦିଆଯିବ।
ଭୋଟରମାନେ ଚାହିଁଲେ ନିର୍ବାଚନ କମିଶନଙ୍କ ୱେବସାଇଟ୍ରୁ ପରିଗଣନା ଫର୍ମ ଡାଉନଲୋଡ୍ କରି ଅନଲାଇନ୍ରେ ଅପଲୋଡ୍ ମଧ୍ୟ କରିପାରିବେ। ଫର୍ମ ପୂରଣରେ କୌଣସି ସମସ୍ୟା ହେଲେ ବିଏଲଓମାନେ ସମ୍ପୂର୍ଣ୍ଣ ସହାୟତା ଯୋଗାଇବେ। ନୂତନ ଭୋଟର ଭାବେ ନାମ ପଞ୍ଜୀକରଣ କରିବାକୁ ଇଚ୍ଛୁକ ଯୋଗ୍ୟ ବ୍ୟକ୍ତିଙ୍କୁ ଫର୍ମ-୬ ସହ ସ୍ୱତନ୍ତ୍ର ଘୋଷଣାପତ୍ର ମଧ୍ୟ ପ୍ରଦାନ କରାଯିବ।
ସ୍ୱତନ୍ତ୍ର ସଘନ ସଂଶୋଧନକୁ ସ୍ୱଚ୍ଛତା ଓ ରାଜନୈତିକ ଦଳମାନଙ୍କ ସହଭାଗୀତା ସହ କାର୍ଯ୍ୟାନ୍ୱୟନ କରିବା ପାଇଁ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ସମସ୍ତ ରାଜନୈତିକ ଦଳଙ୍କୁ ପ୍ରତ୍ୟେକ ମତଦାନ କେନ୍ଦ୍ର ପାଇଁ ବୁଥ୍ ସ୍ତରୀୟ ଏଜେଣ୍ଟ (ବିଏଲଏ) ନିଯୁକ୍ତ କରିବାକୁ ଅନୁରୋଧ କରିଥିଲେ। ବର୍ତ୍ତମାନ ସୁଦ୍ଧା ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ ପକ୍ଷରୁ ମୋଟ ୬୭୬ ଜଣ ବିଏଲଏ ନିଯୁକ୍ତ ହୋଇଥିବା ସୂଚନା ମିଳିଛି।
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ, ଉପଜିଲ୍ଲାପାଳ ପରୀକ୍ଷିତ ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାରଙ୍କ ସହ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗଦେଇଥିଲେ। ବିଜେପି ସଭାପତି ଅରୁଣ କୁମାର ସାହୁ, କଂଗ୍ରେସ ସଭାପତି ସେମ ହେମରେମ୍, ବିଜେଡିର ସଞ୍ଜୀବ କୁମାର ଶତପଥୀ, ଆମ ଆଦମୀ ପାର୍ଟିର ଜ୍ଞାନେନ୍ଦ୍ର କୁମାର ସମର, ମୀନକେତନ ପ୍ରଧାନ, ରିତେଶ କୁମାର ନାୟକ, ସୁବ୍ରତ କୁମାର ବେହେରା, ସୁସେ ଗିରିଜା, ଏଲିଏସ୍ ତିର୍କି, ଏସ୍ଓ ରାଜକିଶୋର କାଲୋ ଓ ଏସ୍ଆର୍ଏ ସୁମନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
