ଜୁନ ୧ ରୁ ଆରମ୍ଭ ହେବ ଭାରତୀୟ ସେନାରେ ଅଗ୍ନିପଥ ଯୋଜନା ଏବଂ ନିୟମିତ କ୍ୟାଡର ଅନଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା
(ରାୟଗଡ଼ା:ରମେଶ ଅଗ୍ରୱାଲ:ନିପ୍ର.)-
ରାୟଗଡ଼, ୧୯ ମେ ୨୦୨୬: ଭାରତୀୟ ସେନାରେ ଆଗ୍ନିପଥ ଯୋଜନା ଏବଂ ନିୟମିତ କ୍ୟାଡରର ନିଯୁକ୍ତି ବର୍ଷ ୨୦୨୬-୨୭ ପାଇଁ ଆସନ୍ତା ଜୁନ୍ ୦୧ ତାରିଖରୁ ଅନଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା (CEE) ଆରମ୍ଭ ହେବାକୁ ଯାଉଛି। ଏହି ପରୀକ୍ଷା ଜୁନ୍ ୦୧ ରୁ ଜୁନ୍ ୧୨, ୨୦୨୬ ପର୍ଯ୍ୟନ୍ତ ଚାଲିବ। କୋଲକାତା ନିଯୁକ୍ତି ଜୋନ୍ ଅଧୀନରେ ଆସୁଥିବା ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ସିକିମ୍ ରାଜ୍ୟର ମୋଟ ୨୬ ଟି କେନ୍ଦ୍ରରେ ଏହି ପରୀକ୍ଷା ପରିଚାଳନା କରାଯିବାର ବ୍ୟବସ୍ଥା ହୋଇଛି। ଏଥିମଧ୍ୟରୁ ଓଡ଼ିଶା ରାଜ୍ୟର ପରୀକ୍ଷାର୍ଥୀଙ୍କ ପାଇଁ ୮ ଟି ପ୍ରମୁଖ ସହର ଯଥା- ବାଲେଶ୍ୱର, ବ୍ରହ୍ମପୁର (ଗଞ୍ଜାମ), ଭୁବନେଶ୍ୱର, କଟକ, ଢ଼େଙ୍କାନାଳ, ରାଉରକେଲା ଏବଂ ସମ୍ବଲପୁରରେ ପରୀକ୍ଷା କେନ୍ଦ୍ରମାନ ପ୍ରସ୍ତୁତ କରାଯାଇଛି। ସେହିପରି ପଶ୍ଚିମବଙ୍ଗର ୮ ଟି ସହର ଏବଂ ସିକିମ୍ର ଗାଙ୍ଗଟକ୍ଠାରେ ମଧ୍ୟ ପରୀକ୍ଷା କେନ୍ଦ୍ର କରାଯାଇଛି।
ଏହି ସାଧାରଣ ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ଓ ପଞ୍ଜୀକରଣ ପ୍ରକ୍ରିୟା ଗତ ଏପ୍ରିଲ ୧୦, ୨୦୨୬ ରେ ଶେଷ ହୋଇସାରିଛି। ସଫଳତାର ସହ ପଞ୍ଜୀକୃତ ହୋଇଥିବା ପ୍ରାର୍ଥୀମାନେ ଭାରତୀୟ ସେନାର ଅଫିସିଆଲ୍ ୱେବସାଇଟ୍ www.joinindianarmy.nic.in ରୁ ନିଜର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ। ଏହାସହ କମ୍ପ୍ୟୁଟର ଆଧାରିତ ଅନଲାଇନ୍ ପରୀକ୍ଷା ପ୍ରକ୍ରିୟାକୁ ସହଜରେ ବୁଝିବା ଏବଂ ଏହାର ଅଭ୍ୟାସ କରିବା ପାଇଁ ପ୍ରାର୍ଥୀମାନଙ୍କୁ ଭାରତୀୟ ସେନାର ୱେବସାଇଟ୍ ପରିଦର୍ଶନ କରିବାକୁ ପରାମର୍ଶ ଦିଆଯାଇଛି।
ଅନଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା (CEE) ସମାପ୍ତ ହେବା ପରେ, ଏଥିରେ ମନୋନୀତ ହୋଇଥିବା ପ୍ରାର୍ଥୀମାନଙ୍କୁ ପରବର୍ତ୍ତୀ ପର୍ଯ୍ୟାୟ “ନିଯୁକ୍ତି ରାଲି” (Recruitment Rally) ବିଷୟରେ ସୂଚିତ କରାଯିବ। ସେନା ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ୱଚ୍ଛ ଏବଂ ମେଧା ଭିତ୍ତିକ ହୋଇଥିବାରୁ ପ୍ରାର୍ଥୀମାନଙ୍କୁ କୌଣସି ଦଲାଲ୍ ବା ଅସାଧୁ ବ୍ୟକ୍ତିଙ୍କ ପ୍ରଲୋଭନର ଶିକାର ନ ହେବାକୁ ଚେତାବନୀ ଦିଆଯାଇଛି। ଏହି ନିଯୁକ୍ତି ସମ୍ବନ୍ଧୀୟ ଯେକୌଣସି ପ୍ରଶ୍ନ ବା ସନ୍ଦେହ ପାଇଁ ପ୍ରାର୍ଥୀମାନେ ସେମାନଙ୍କର ନିକଟସ୍ଥ ନିଯୁକ୍ତି କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିପାରିବେ।
