ସାରସ୍ୱତ ମହାବିଦ୍ୟାଳୟରେ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ସୋର ବ୍ଲକ ଅନନ୍ତପୁର ସ୍ଥିତ ସାରସ୍ୱତ ମହାବିଦ୍ୟାଳୟ ପରିସରରେ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ନିରଞ୍ଜନ ଜେନାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସଭାରେ ଛାତ୍ରଛାତ୍ରୀଙ୍କ ମନରେ ଦେଶ ପାଇଁ ସେବା ଓ ସମର୍ପଣ ଭାବ ଜାଗ୍ରତ କରିବା ଉପରେ ବିଶେଷ ଆଲୋକପାତ କରାଯାଇଥିଲା।ଅଧ୍ୟାପକ ମାନସ କୁମାର ପଣ୍ଡା ଅତିଥିମାନଙ୍କୁ ମଞ୍ଚ ଆବାହନ କରିଥିଲେ ଏବଂ ସଂସ୍କୃତ ବିଭାଗର ମୁଖ୍ୟ ଅଧ୍ୟାପକ ଅଜୟ କୁମାର ପରିଡ଼ା ଅତିଥି ପରିଚୟ ପ୍ରଦାନ କରିଥିଲେ। ସାଂସଦ ଅଭିମନ୍ୟୁ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ “ସେବା ହିଁ ପରମ ଧର୍ମ” ବୋଲି ମତବ୍ୟକ୍ତ କରିବା ସହ ସମାଜରେ ପ୍ରତ୍ୟେକ ବ୍ୟକ୍ତି ନିଜ ସାମର୍ଥ୍ୟ ଅନୁସାରେ ସେବା କରିବା ଉଚିତ ବୋଲି ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରିଥିଲେ। ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଦାସ ଏବଂ ସୋର ବ୍ଲକ ଅଧ୍ୟକ୍ଷା ଅନୁସୟା ମଲିକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ଅଭିଯାନକୁ ସଫଳ କରିବା ପାଇଁ ଯୁବପୀଢ଼ିଙ୍କ ସହଯୋଗ କାମନା କରିଥିଲେ। ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପିକା ସ୍ୱପ୍ନାରାଣୀ ଜେନା ‘ସେବା ସଂକଳ୍ପ’ର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ। ପରିଶେଷରେ ଅଧ୍ୟାପିକା ବିଜୟାଲକ୍ଷ୍ମୀ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
