*ମାଣତ୍ରୀ ବଜାରରେ ମୃତ୍ୟୁର ତାଣ୍ଡବ! ବିଦ୍ୟୁତ୍ ବିଭାଗର ଘୋର ଅବହେଳାରୁ ଦୋକାନ ଉପରେ ଜଳିଗଲା ତାର, ଅଳ୍ପକେ ବଞ୍ଚିଲା ଜୀବନ*
*ବଡସାହି (ମାଣତ୍ରୀ):* ଆପଣ ବଜାରରେ ଠିଆ ହୋଇଛନ୍ତି, ହଠାତ୍ ଆପଣଙ୍କ ମୁଣ୍ଡ ଉପରେ ବିଦ୍ୟୁତ୍ ତାର ଜଳି ପଡୁଛି! ଭାବିଲେ ଛାତି ଥରି ଯାଉଛି ନା? ଏମିତି ଏକ ଭୟଙ୍କର ଓ ହୃଦୟ ଥରାଇ ଦେଲା ଭଳି ଘଟଣା ଘଟିଛି ବଡସାହି ବ୍ଲକ୍ ର ସବୁଠୁ ବ୍ୟସ୍ତ ବହୁଳ ମାଣତ୍ରୀ ଛକରେ।
*କ’ଣ ଘଟିଥିଲା ମଙ୍ଗଳବାର ସନ୍ଧ୍ୟାରେ?*
ମଙ୍ଗଳବାର ସନ୍ଧ୍ୟା ସମୟରେ ମାଣତ୍ରୀ ଛକର ଜଣାଶୁଣା ଦୋକାନୀ ସଞ୍ଜୟ ପୃଷ୍ଟି ନିଜ ଦୋକାନରେ ବସିଥିଲେ। ଗ୍ରାହକମାନଙ୍କ ଭିଡ ଥିଲା। ହଠାତ୍ ଦୋକାନ ସାମ୍ନାରେ ଥିବା ବିଦ୍ୟୁତ୍ ଖୁଣ୍ଟରୁ ବିକଟ ଶବ୍ଦ ସହ ନିଆଁ ବାହାରିବାକୁ ଲାଗିଲା। ସର୍ଟ ସର୍କିଟ୍ ହୋଇ ଜଳନ୍ତା ତାର ସିଧା ଦୋକାନ ଉପରେ ପଡିଯାଇଥିଲା।
ମୁହୂର୍ତ୍ତକ ମଧ୍ୟରେ ଆତଙ୍କ ଖେଳିଗଲା। ଲୋକେ ଜୀବନ ବିକଳରେ ଦୌଡି ପଳାଇଲେ। ଦୋକାନୀ ସଞ୍ଜୟ ଯଦି ସେକେଣ୍ଡେ ଡେରି କରିଥାନ୍ତେ, ଆଜି ହୁଏତ ଏ ଖବର ଲେଖା ହୋଇନଥାନ୍ତା। ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି, କିନ୍ତୁ ଏହି ଦୃଶ୍ୟ ସମସ୍ତଙ୍କୁ ଭୟଭୀତ କରିଦେଇଛି।
*ପ୍ରଶ୍ନ ନମ୍ବର ୧ – ମେଣ୍ଟେନାନ୍ସ ନା ପ୍ରହସନ?*
ସ୍ଥାନୀୟ ଲୋକଙ୍କ ସିଧା ଅଭିଯୋଗ – ବିଦ୍ୟୁତ୍ ବିଭାଗ ପ୍ରତି ସପ୍ତାହରେ ମେଣ୍ଟେନାନ୍ସ ନାମରେ ଘଣ୍ଟା ଘଣ୍ଟା ଲାଇନ କାଟୁଛି। ଗାଁରେ ସିଡି ଧରି ବୁଲି ଫଟୋ ଉଠାଇ ରିପୋର୍ଟ ଦେଉଛନ୍ତି। ହେଲେ ବାସ୍ତବରେ କାମ କଣ ହେଉଛି?
ଯଦି ମେଣ୍ଟେନାନ୍ସ ହେଉଥାନ୍ତା, ତେବେ ବଜାର ମଝିରେ ବର୍ଷ ବର୍ଷ ଧରି ଝୁଲୁଥିବା ଗୁଡାଏ ତାର, ଲୋଡିଆ ଖୁଣ୍ଟ, ଏବଂ ଚାରିଆଡେ ଜଟ ହୋଇଥିବା କେବୁଲ ବିଭାଗ ଅଧିକାରୀଙ୍କ ଆଖିରେ ପଡୁନି କେମିତି? ଏହା କଣ ଏକ ବଡ଼ ଦୁର୍ଘଟଣାକୁ ଅପେକ୍ଷା କରିଥିଲା?
*ପ୍ରଶ୍ନ ନମ୍ବର ୨ – ଯନ୍ତ୍ରୀଙ୍କ ଏତେ ଅହଙ୍କାର କାହିଁକି?*
ଏହା ପ୍ରଥମ ଘଟଣା ନୁହେଁ। ମାଣତ୍ରୀ ବିଦ୍ୟୁତ୍ ବିଭାଗର ମନମାନୀକୁ ନେଇ କିଛି ଦିନ ତଳେ ସ୍ଥାନୀୟ ଗ୍ରାହକମାନେ ବିଦ୍ୟୁତ୍ ଅଫିସରେ ତାଲା ମାରି ରାଜରାସ୍ତା ଉପରେ ବସି ଆନ୍ଦୋଳନ କରିଥିଲେ। ସେତେବେଳେ ପରିସ୍ଥିତି ଏତେ ବିଗିଡି ଯାଇଥିଲା ଯେ ବୈଶିଙ୍ଗା ଆଇଆଇସି, ବେତନଟୀ ଏସଡିପିଓ ଏବଂ ବଡସାହି ତହସିଲଦାର ନିଜେ ଆସି ଲୋକଙ୍କୁ ବୁଝାସୁଝା କରିବାକୁ ପଡିଥିଲା। ଆଶ୍ଚର୍ଯ୍ୟର କଥା, ସେତେବେଳେ ବି ସମ୍ପୃକ୍ତ ଯନ୍ତ୍ରୀ ଧାରଣା ସ୍ଥଳକୁ ଆସିବାକୁ ସାହସ କରିନଥିଲେ!
*ଲୋକଙ୍କ ଦାବି କ’ଣ?*
ଏଭଳି ଦାୟିତ୍ୱହୀନତା ଯୋଗୁଁ ଯେକୌଣସି ମୁହୂର୍ତ୍ତରେ ମାଣତ୍ରୀ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ବହୁ ଧନ ଜୀବନ ନଷ୍ଟ ହୋଇପାରେ। ତେଣୁ ସ୍ଥାନୀୟ ବ୍ୟବସାୟୀ ସଂଘ ଓ ଗ୍ରାମବାସୀ ତୁରନ୍ତ ମାଣତ୍ରୀ ସେକ୍ସନର ଯନ୍ତ୍ରୀ ଏବଂ ସମସ୍ତ ଲାଇନମ୍ୟାନଙ୍କୁ ଏଠାରୁ ବଦଳି କରି ଦକ୍ଷ କର୍ମଚାରୀ ନିଯୁକ୍ତି କରିବାକୁ ଦାବି କରିଛନ୍ତି।
ଯଦି ପ୍ରଶାସନ ଏଥି ପ୍ରତି ଧ୍ୟାନ ନ ଦିଏ, ଆଗାମୀ ଦିନରେ ମାଣତ୍ରୀ ଛକରେ ରାଜରାସ୍ତା ଅବରୋଧ ସହ ବଡ଼ ଧରଣର ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି।
*ମୟୂରଭଞ୍ଜରୁ ଶୁଭାଶିଷ ଚୌଧୁରୀଙ୍କ ସହ ମୋନାଲି ସାହୁଙ୍କ ରିପୋର୍ଟ, ଭଞ୍ଜଦୂତ ଖବର*
