ବରପାଲି ନକଲି ଖାଦ୍ୟ କାରଖାନାର ଦୁଇ ମାଲିକ ଗିରଫ, କୋର୍ଟ ଚାଲାଣ
ବରଗଡ :୦୮/୦୫(ନି ପ୍ର) ବରପାଲି ସହରରେ ଚାଲିଥିବା ବହୁ ଚର୍ଚ୍ଚିତ ନକଲି ଖାଦ୍ୟ ପ୍ରସ୍ତୁତି କାରଖାନା ଉପରେ ପୁଲିସ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ମାମଲାରେ ସଂପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।
ବରପାଲି ସାପ୍ତାହିକ ବଜାର ରାସ୍ତାରେ ଏ. ଏସ୍. ଏଣ୍ଟରପ୍ରାଇଜ ନାମକ ଏକ ସଂସ୍ଥା ଦୀର୍ଘ ଦିନ ଧରି ନକଲି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି କାରବାର କରିଆସୁଥିଲା। ଗତ ବୁଧବାର ଦିନ ବରପାଲି ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ବିପୁଳ ପରିମାଣର ନକଲି ସାମଗ୍ରୀ ଜବତ କରାଯାଇଥିବା ବେଳେ କାରଖାନା ମାଲିକ ଫେରାର ହୋଇଯାଇଥିଲେ। ଫଳରେ ପୁଲିସ କାରଖାନା ଓ ଗୋଦାମ ଘରକୁ ସିଲ୍ କରିଥିଲା।
ଆଜି ବରଗଡ଼ ଏସଡିପିଓ ପଦାରବିନ୍ଦ ତ୍ରିପାଠୀ ବରପାଲି ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ସମ୍ପୂର୍ଣ୍ଣ ଘଟଣା ଉପରେ ଆଲୋକପାତ କରିଛନ୍ତି। କାରଖାନା ମାଲିକ ଅଙ୍କିତ ଅଗ୍ରୱାଲ ଏବଂ ଅଭିଲାଷ ଅଗ୍ରୱାଲଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ସଂଗୀନ ଦଫା ୩୧୮(୪), ୨୭୨, ୨୭୪, ୨୭୫, ୩୩୮, ୩୩୬(୪)
୧୦୩/୧୦୪ ଆଦିରେ ମାମଲା ରୁଜୁ କରାଯାଇଛି।
ଜବତ ସାମଗ୍ରୀ ଓ ତଦନ୍ତ
କାରଖାନାରୁ ପ୍ରାୟ ୨୦ ପ୍ରକାରର ନକଲି ସାମଗ୍ରୀ ଓ କଞ୍ଚାମାଲ ଜବତ ହୋଇଛି, ଯେଉଁଥିରେ ଅନ୍ତର୍ଭୁକ୍ତ:
୨୦ କ୍ୱିଣ୍ଟାଲ ପୁରୁଣା ଖବରକାଗଜ
୨ କ୍ୱିଣ୍ଟାଲ କାଠ ଗୁଣ୍ଡ
ନକଲି ମୃଦୁ ପାନୀୟ, ଚକଲେଟ୍ ଏବଂ ଜେଲି।
ଏହି ସବୁ ସାମଗ୍ରୀର ନମୂନା ସଂଗ୍ରହ କରାଯାଇ ପରୀକ୍ଷାଗାରକୁ ପଠାଯାଇଛି। ଏହି ଅପମିଶ୍ରିତ ଖାଦ୍ୟ ସାମଗ୍ରୀ କେଉଁ କେଉଁ ଅଞ୍ଚଳର ଦୋକାନୀଙ୍କୁ ବିକ୍ରୟ କରାଯାଇଛି, ସେ ନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି ବୋଲି ବରପାଲି ଥାନା ଅଧିକାରୀ ପ୍ରମୋଦ କୁମାର ସାହୁ ସୂଚନା ଦେଇଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ତହସିଲଦାର ରୁକ୍ମଣ ମେହେରଙ୍କ ସମେତ ଅନ୍ୟ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ଗିରଫ ଦୁଇ ଅଭିଯୁକ୍ତଙ୍କ ଜାମିନ ଆବେଦନ କୋର୍ଟରେ ନାମଞ୍ଜୁର ହେବାରୁ ସେମାନଙ୍କୁ ବରଗଡ଼ ଜେଲକୁ ପଠାଇ ଦିଆଯାଇଛି।
