ସାମାନ୍ୟ ବଚସାରୁ ମହାଭାରତ!! ଦୋଷୀ ସାବ୍ୟସ୍ତ ହେଲେ ଅଭିଯୁକ୍ତ।
ଗଜପତି (ଟିକି ଲିମା)
ପୂର୍ବରୁ ଧାର ନେଇଥିବା ପଇସା ମାଗିବାକୁ ନେଇ ସୃଷ୍ଟି ହୋଇଥିବା ଝଗଡ଼ା ଶେଷରେ ଲହୁଲୁହାଣ କରିବା ଭଳି ପରିସ୍ଥିତିରେ ପରିଣତ ହେବା ମାମଲାର ଶୁଣାଣି କରି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ବରିଷ୍ଠ ଦେୱାନି ବିଚାରପତି ତଥା ସହକାରୀ ଦୌରା ଜଜ (ମହିଳା ଅଦାଲତ) ଶ୍ରୀମତୀ ରଶ୍ମିତା ସାହୁ ଭାରତୀୟ ପିଙ୍ଗଳ କୋଡ଼ର ଧାରା ୩୨୩(ସ୍ବେଚ୍ଛାକୃତ ଭାବରେ ଆଘାତ କରିବା) ଅପରାଧରେ ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ କଟିକା ଗୌଡ଼ ସାହିର ଚନ୍ଦ୍ରମା ଆପଟ(୪୦ବର୍ଷ), ଗଣେଶ ଓରଫ ଭାଲୁ ଆପଟ (୪୮ବର୍ଷ) ଓ ପ୍ରଶାନ୍ତ ବରଡ଼ (୨୬ବର୍ଷ)ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଉକ୍ତ ମାମଲାରେ ସରକାରଙ୍କ ପକ୍ଷରୁ ଏପିପି ସୌମ୍ୟ ସୌରଭ ପଟ୍ଟନାୟକ ସଫଳ ପରିଚାଳନା କରିଥିବା ବେଳେ ଏପିପି କାଶୀନାଥ ଦାସ ତାଙ୍କୁ ଏହି ମାମଲାରେ ଯଥାର୍ଥ ସହଯୋଗ କରିଥିବାର ଖବର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ କଟିକା ଗୌଡ଼ ସାହିର ଏତଲାକାରିଣୀ ସରିତା ବିଶ୍ୱାଳ ତା ୨୧-୦୬-୨୦୨୪ରିଖ ଦିନ ସନ୍ଧ୍ୟା ସମୟରେ ଚନ୍ଦ୍ରମା ଆପଟ ଓ ତାଙ୍କ ସ୍ୱାମୀ ଭାଲୁ ଆପଟଙ୍କୁ ପୂର୍ବରୁ ଧାର ନେଇଥିବା ଦୁଇ ହଜାର ଟଙ୍କା ମାଗିବାରୁ ସେମାନେ ପଇସା ଦେବେ ନାହିଁ ବୋଲି କହି ଝଗଡ଼ା ଆରମ୍ଭ କରି ଏତଲାକାରିଣୀଙ୍କ ଚୁଟି ଭିଡି ମୁହଁକୁ ମାରିଥିଲେ। ଏହାକୁ ଏତଲାକାରିଣୀଙ୍କ ପୁଅ ବିରୋଧ କରିବାରୁ ଅନ୍ୟ ଅଭିଯୁକ୍ତ ତଥା ଚନ୍ଦ୍ରମାଙ୍କ ଭଣଜା ପ୍ରଶାନ୍ତ ତାଙ୍କ ପୁଅକୁ ମାରି ପକେଇଥିଲେ। ଇତି ମଧ୍ୟରେ ଏହି ମାଡ଼ରୁ ତାଙ୍କ ମାଆ ମଧ୍ୟ ବର୍ତ୍ତି ନଥିଲେ ଓ ଠେଲାପେଲାରୁ ତଳେ ପଡି ତାଙ୍କର ମୁଣ୍ଡରେ ମଧ୍ୟ ତିନୋଟି ସିଲାଇ ପଡିଥିଲା। ଶେଷରେ ଆସମୀମାନେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେବାକୁ ପଛାଇ ନଥିଲେ। ଶେଷରେ ବାଧ୍ୟ ହୋଇ ଏହି ଘଟଣାକୁ ନେଇ ଏତଲାକାରିଣୀ ସେହିଦିନ ହିଁ ପାରଳାଖେମୁଣ୍ଡି ଥାନାରେ ମାମଲା ନମ୍ବର ୨୦୫/୨୦୨୪ରେ ଏକ ମାମଲା ରୁଜୁ କରିଥିଲେ ଏବଂ ଏସ.ଆଇ. କୌତୁକ ସେଠୀ ଏହି ମାମଲାର ତଦନ୍ତକାରୀ ଅଧିକାରୀ ରହିଥିଲେ। ଶେଷରେ ୪ଜଣ ସାକ୍ଷୀଙ୍କ ବଳିଷ୍ଠ ବୟାନ ତଥା ଦସ୍ତାବିଜକୁ ଭିତ୍ତି କରି ମାନ୍ୟବର ନ୍ୟାୟାଧୀଶ ଉକ୍ତ ଘଟଣାରେ ଭାରତୀୟ ପିଙ୍ଗଳ କୋଡ଼ର ଧାରା ୩୨୩ରେ ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରି ପ୍ରବେଶନ ଅଫ ଅଫେଣ୍ଡର୍ସ ଆକ୍ଟର ଧାରା ୩ ଅନୁଯାୟୀ ଭର୍ତ୍ସନା କରି ଏ ଭଳି କାର୍ଯ୍ୟରୁ ଭବିଷ୍ୟତରେ ନିବୃତ୍ତ ରହିବା ପାଇଁ କଡ଼ା ଚେତାବନୀ ଦେଇଛନ୍ତି ।
