ଦେବଗଡରେ ଭବ୍ୟ ଭାବେ ପାଳିତ ହେଲା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ
ଓଡ଼ିଆ ଭାଷା ଓ ରାଜ୍ୟ ଗଠନରେ ମଧୁବାବୁଙ୍କ ଅତୁଳନୀୟ ଅବଦାନ ସ୍ମରଣ
ଦେବଗଡ : ଉତ୍କଳ ସମ୍ମିଳନୀ, ଦେବଗଡ ଶାଖା ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପବିତ୍ର ଜୟନ୍ତୀ ସ୍ଥାନୀୟ ଟାଉନ କ୍ଲବ ପ୍ରାଙ୍ଗଣରେ ଗଭୀର ଶ୍ରଦ୍ଧା ଓ ଉତ୍ସାହର ସହ ଭବ୍ୟ ଭାବେ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ବୁଦ୍ଧିଜୀବୀ, ସାହିତ୍ୟିକ, ଶିକ୍ଷାବିଦ୍ ଓ ସାମାଜିକ କର୍ମୀମାନଙ୍କର ବିଶେଷ ଉପସ୍ଥିତି ଦେଖାଯାଇଥିଲା।
କାର୍ଯ୍ୟକ୍ରମର ଆରମ୍ଭରେ ମଧୁସୂଦନ ଦାସଙ୍କ ଛବିରେ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା ଏବଂ ତାଙ୍କର ଦେଶପ୍ରେମ, ସାମାଜିକ ସେବା ଓ ଓଡ଼ିଆ ଜାତି ସ୍ୱାଭିମାନ ପ୍ରତି ତାଙ୍କର ଅପାର ଅବଦାନକୁ ସ୍ମରଣ କରାଯାଇଥିଲା।
ଏହି ସଭାରେ ସଭାପତି ଟିକେଶ୍ବର ସାହୁ ପୌରହିତ୍ୟ କରିଥିବାବେଳେ, ଅବସରପ୍ରାପ୍ତ ଅଧ୍ୟାପକ ଅଶୋକ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ମଧୁବାବୁଙ୍କ ଜୀବନ, ସଂଘର୍ଷ ଓ ଓଡ଼ିଶା ଗଠନରେ ତାଙ୍କ ଅଗ୍ରଣୀ ଭୂମିକା ବିଷୟରେ ବ୍ୟାପକ ଆଲୋଚନା କରିଥିଲେ। ସେ କହିଥିଲେ ଯେ, ମଧୁସୂଦନ ଦାସ କେବଳ ଜଣେ ନେତା ନୁହେଁ, ବରଂ ଓଡ଼ିଆ ଜାତିର ଗର୍ବ ଓ ପରିଚୟର ପ୍ରତୀକ ଥିଲେ।
ସଂପାଦକ କୁମୁଦଚନ୍ଦ୍ର ଶତପଥୀ ସୁଚାରୁ ଭାବେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ, ଗୌରହରି ଷଢଙ୍ଗୀ, ସତ୍ୟନାରାୟଣ ମିଶ୍ର, ପ୍ରକାଶ ଚନ୍ଦ୍ର ପ୍ରଧାନ, ଜଗମୋହନ ସାହୁ, ବାଲ୍ମିକୀ ଚରଣ ଲୁହା, ଛବିଳ କୁମାର ସାହୁ ଓ ପୂର୍ଣ୍ଣଚନ୍ଦ୍ର ମିଶ୍ର ପ୍ରମୁଖ ଅତିଥିମାନେ ମଧୁବାବୁଙ୍କ ଓଡ଼ିଆ ଭାଷାର ସୁରକ୍ଷା, ଶିକ୍ଷାର ପ୍ରଚାର ଓ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ଭାବେ ଗଠନ କରିବାରେ ତାଙ୍କ ଅପରିମିତ ଅବଦାନ ବିଷୟରେ ମତ ପ୍ରକାଶ କରିଥିଲେ।
ଏହା ସହ କାର୍ଯ୍ୟକ୍ରମରେ କବିତା ପାଠ ମାଧ୍ୟମରେ ମଧୁବାବୁଙ୍କ ଜୀବନ ଓ ଆଦର୍ଶକୁ ସ୍ମରଣ କରାଯାଇଥିଲା, ଯାହା ଉପସ୍ଥିତ ଶ୍ରୋତାମଣ୍ଡଳୀଙ୍କୁ ଭାବବିହ୍ୱଳ କରିଥିଲା।
ଶେଷରେ କୋଷାଧ୍ୟକ୍ଷ ଦିଲୀପ କୁମାର ଦେବ ସମସ୍ତ ଅତିଥି ଓ ଉପସ୍ଥିତ ସଭ୍ୟମାନଙ୍କୁ ଧନ୍ୟବାଦ ଜ୍ଞାପନ କରି କାର୍ଯ୍ୟକ୍ରମର ସମାପନ ଘୋଷଣା କରିଥିଲେ।
