*ସମ୍ବଲପୁର ଜିଲ୍ଲା ଠିକାଦାର ସଂଘର ସାଧାରଣ ପରିଷଦ ବୈଠକ*
*ବାହାର ଜିଲ୍ଲା ଠିକାଦାରଙ୍କ ପ୍ରବେଶ ଉପରେ କଟକଣା ପାଇଁ ନିଷ୍ପତ୍ତି*
ସମ୍ବଲପୁର: ୨୭/୪/୨0୨୬ (ଭଂଜଦୂତ )ସମ୍ବଲପୁର ଜିଲ୍ଲା ଠିକାଦାର ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ସାଧାରଣ ପରିଷଦ ବୈଠକ ସ୍ଥାନୀୟ ତପସ୍ବିନୀ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାର ସମସ୍ତ ବର୍ଗର ଠିକାଦାରମାନେ ସାମିଲ ହୋଇ ବିଭିନ୍ନ ସମସ୍ୟା ଓ ଉନ୍ନୟନମୂଳକ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ। ସଂଘର ଉପସଭାପତି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ କାର୍ଯ୍ୟ ପାଇଁ ଜିରୋ ପ୍ରତିଶତ ଲେସ୍ (0% Less) ରେ ଟେଣ୍ଡର ପକାଇବାକୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି। କିଛି ଠିକାଦାର ଅଧିକ ପ୍ରତିଶତ କମରେ ଟେଣ୍ଡର ପକାଇ ସଂଘକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଥିବାରୁ ଏହାକୁ ରୋକିବା ପାଇଁ ଏକ କୋର କମିଟି ଗଠନ କରାଯିବ। ସେହିପରି ସଂଘର ଅନ୍ୟ ଜଣେ ବରିଷ୍ଠ ସଦସ୍ୟ କହିଛନ୍ତି ଯେ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ କାମରେ ବାହାର ଜିଲ୍ଲାର ଠିକାଦାରମାନଙ୍କୁ ସମ୍ବଲପୁରରେ ପ୍ରବେଶ କରିବାକୁ ଦିଆଯିବ ନାହିଁ। କେବଳ ସ୍ଥାନୀୟ ଠିକାଦାରମାନେ ହିଁ ଏହି କାମରେ ଭାଗ ନେବେ। କାମର ଗୁଣବତ୍ତା ବଜାୟ ରଖିବା ପାଇଁ ସୋସିଆଲ ଅଡିଟ୍ କରାଯିବ ଏବଂ କୌଣସି ପ୍ରକାରର ଦୁର୍ନୀତିକୁ ସହ୍ୟ କରାଯିବ ନାହିଁ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ଅବସରରେ ସଂଘର କର୍ମକର୍ତ୍ତା ଚୟନ ମଧ୍ଯ ଅନୁଷ୍ଠିତ ହୋଇଥିଲା।
