ସୋରରେ ଚୋରା ମଦ ଚଢ଼ାଉ,୨ ଜଣ କୋର୍ଟ ଚାଲାଣ,ଜଙ୍ଗଲରୁ ଜବତ ହେଲା ଅଢ଼େଇ ଲକ୍ଷ ଟଙ୍କାର ପୋଚ ଓ ମଦ।
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର): ସୋରରେ ମଦର ସୁଅକୁ ବନ୍ଦ କରିବା ପାଇଁ ଯେତେ ଚେଷ୍ଟା କରାଯାଉଛି ସେତେ ଅଧିକ ଚୋରା ମଦ ବିକ୍ରି ବଢ଼ି ଚାଲିଛି। ସୋର ବ୍ଲକ୍ ସିଙ୍ଗାଖୁଣ୍ଟା ପଞ୍ଚାୟତ ବନ୍ଧସାହି ଗ୍ରାମରେ ପୁଣି ମଦର ସୁଅ ଛୁଟୁଥିବା ଏବଂ ଏଠାକାର ଲୋକେ ମଦ କବଳରୁ ମୁକୁଳି ପାରୁନଥିବା ନେଇ ବାରମ୍ବାର ଖବର ହୋଇ ଆସୁଥିଲା। ଖବର ପ୍ରକାଶିତ ହେବା ପରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ବନ୍ଧସାହି ଗ୍ରାମରୁ ୨୮ ଶହ ଲିଟର ପୋଚ ଓ ଦେଶୀମଦ ଜବତ କରାଯିବା ସହିତ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।ବାଲେଶ୍ବର ଅବକାରୀ ଅଧୀକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶ କ୍ରମେ ଓ ନୀଳଗିରି ଅବକାରୀ ନିରୀକ୍ଷକ କେଶବ ଚନ୍ଦ୍ର ଦାସଙ୍କ ତତ୍ତ୍ବାବଧାନରେ ସୋର ଆଦର୍ଶ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲଙ୍କୁ ନେଇ ଗଠିତ ଟିମ୍ ସୋର ଥାନା ସିଙ୍ଗାଖୁଣ୍ଟା ପଞ୍ଚାୟତ ଅଧୀନ ବନ୍ଧସାହି
ଗ୍ରାମରେ ଚଢ଼ଉ କରିଥିଲେ । ଏହି ସମୟରେ ବନ୍ଧସାହି ନିକଟସ୍ଥ ଜଙ୍ଗଲରୁ ୨୮୦ ଲିଟର ଦେଶୀମଦ ଓ ୨୮ ଶହ ଲିଟର ପୋଚ ଜବତ କରାଯାଇଥିବା ଅଭିଯୁକ୍ତମାନେ ଫେରାର ହୋଇ ଯାଇ ଥିଲେ। ପରେ ବନ୍ଧସାହି ଗ୍ରାମର କାଣ୍ଡେଶ୍ବର ନାୟକଙ୍କ ନିକଟରୁ ୩୫ ଲିଟର ଓ ମିନି ସିଂଙ୍କ ନିକଟରୁ ୧୫ ଲିଟର ଦେଶୀ ମଦ ଜବତ କରାଯିବା ସହିତ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଜବତ ଦେଶୀ ମଦ ଓ ପୋଚର ଆନୁମାନିକ ମୂଲ୍ୟ ଅଢ଼େଇ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି। ଏହି ଚଢ଼ଉରେ ଏଏସଆଇ ବସନ୍ତ କୁମାର ବାରିକ, କ୍ଷୀରୋଦ କୁମାର ଓ କନେଷ୍ଟବଳ ଶଶୀକାନ୍ତ ସାହୁ, ମିନତୀ ପରିଡ଼ା ପ୍ରମୁଖ ସାମିଲ ହୋଇଥିଲେ |
