ତିନି ମହଲା ରୁ ପଡ଼ି ଡାକ୍ତରଖାନା କର୍ମଚାରୀ ଙ୍କ ମୃତ୍ୟୁ।
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର): ତିନି ମହଲା ଛାତରୁ ଖସି ଜଣେ ଡାକ୍ତରଖାନା କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ ବାଲେଶ୍ୱର ସହଦେବଖୁଣ୍ଟା ଅଞ୍ଚଳର ଦେବାଶିଷ ଜେନା(୩୪) ବାଲେଶ୍ୱର ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ରେକର୍ଡ ରୁମରେ କାମ କରନ୍ତି। ଆଜି ଅପରାହ୍ଣରେ ନିଜ ଘରେ କାମ କରୁଥିବା ବେଳେ ଅସାବଧାନତା ବଶତଃ ତିନି ମହଲା ଛାତରୁ ଖସି ପଡି ଗୁରୁତର ଆହତ ହାଇଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ପରିବାର ଲୋକେ ତାଙ୍କୁ ଏକ ଆମ୍ବୁଲାନ୍ସରେ କଟକ ଅଭିମୁଖେ ନେଉଥିବା ବେଳେ ସୋର ନିକଟରେ ତାଙ୍କ ଅବସ୍ଥା ଅତି ଗୁରୁତର ହେବାରୁ ତାଙ୍କୁ ସୋର ଡାକ୍ତରଖାନାକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
