ବିଦ୍ୟୁତ୍ ଆଘାତରେ ୨୭ ବର୍ଷୀୟ ଯୁବକ ସଞ୍ଚିବ ଗମାଙ୍ଗଙ୍କ ମୃତ୍ୟୁ ।
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଭୂବନି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁଲପାଟ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍ ଆଘାତ ଲାଗି ୨୭ ବର୍ଷୀୟ ଯୁବକ ସଞ୍ଚିବ ଗମାଙ୍ଗଙ୍କ ମୃତ୍ୟୁ ଘଟିଛି। ମୃତକ ସଞ୍ଚିବ ଗମାଙ୍ଗ, ପିତା ଗିର୍ଜାନ ଗମାଙ୍ଗ ବୋଲି ଜଣାପଡ଼ିଛି।ସୂଚନା ଅନୁଯାୟୀ, ଆଜି ସକାଳେ ସଞ୍ଚିବ ନିଜ ଘରେ ବିଦ୍ୟୁତ୍ ସମ୍ବନ୍ଧୀୟ କାମ କରୁଥିବା ବେଳେ ହଠାତ୍ ବିଦ୍ୟୁତ୍ ଆଘାତର ଶିକାର ହୋଇଥିଲେ। ଘଟଣା ପରେ ପରିବାର ସଦସ୍ୟ ଓ ଗ୍ରାମବାସୀମାନେ ତୁରନ୍ତ ତାଙ୍କୁ ଏକ କମାଣ୍ଡର ଗାଡ଼ି ଯୋଗେ ଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ତେବେ ସେଠାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଘଟଣାର ସୂଚନା ପାଇ ସେରଙ୍ଗ ଥାନା ପୋଲିସ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଶବକୁ ଜବତ କରି ଆଇନଗତ ପ୍ରକ୍ରିୟା ଆରମ୍ଭ କରିଥିଲେ। ପରେ ବ୍ୟବଚ୍ଛେଦ ପାଇଁ ଶବକୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।ଏହି ଘଟଣାରେ ସେରଙ୍ଗ ଥାନାରେ ୟୁ.ଡି. କେସ୍ ନଂ–୧୧/୨୬ ରୁଜୁ ହୋଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ଅକାଳ ମୃତ୍ୟୁକୁ ନେଇ କୁଲପାଟ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।
