ରଘୁନାଥପୁର ବ୍ଲକ ର ବିଭିନ୍ନ ସ୍ଥାନରେ ଚାଲିଛି ଖୁଲମ୍ ଖୁଲା ମଦ ବ୍ୟବସାୟ । ରଘୁନାଥପୁର(ନି.ପ୍ର): ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅଂଚଳ ରେ ପ୍ରାଶାସନିକ ଅବହେଳାରୁ ମଦ ବ୍ୟବସାୟ ଚା, ପାନ ଦୋକାନ ପରି ସବୁଆଡ଼େ ଖୁଲମ୍ ଖୁଲା ଭାବେ ଶାଗ, ମାଛ ଦରରେ ଦିନ ରାତି ବିକ୍ରୟ ହୋଇ ଚାଲିଛି। ଗାଁ ଠାରୁ ଆରମ୍ଭ କରି ବଜାର ପର୍ଯ୍ୟନ୍ତ ସବୁଆଡ଼େ ଚୋରା ମଦ, ବ୍ରାଉନ ସୁଗାର ଓ ଭିନ୍ନ ଭିନ୍ନ ମାଦକ ଦ୍ରବ୍ୟ ସେବନ ଯୁବ ସମାଜକୁ ପଥଭ୍ରଷ୍ଟ କରିଦେଲାଣି। ଦିନ ଦ୍ବିପହରରେ ନିଶାଖୋର ମାନେ ନିଶାସକ୍ତ ଅବସ୍ଥାରେ ଦୁର୍ଘଟଣା ଘଟାଉଥିବା ସହିତ ଖରାପ ବ୍ୟବହାର ପ୍ରଦର୍ଶନ କରୁଥିଲେ ବି ଅବକାରୀ ବିଭାଗ ନା ଥାନା କର୍ତ୍ତୁପକ୍ଷ ମାନଙ୍କ ଆଖିରେ ପଟି ବନ୍ଧା ହୋଇଥିବା ପରି ମନେହେଉଛି। ପ୍ରତିଦିନ ଏପରି ଘଟଣା ସବୁ ଘଟୁଥିବାରୁ କୈଣସି ଭଦ୍ରଲୋକ ଓ ଝିଅ ବୋହୁମାନେ ଯିବାଆସିବା ପାଇଁ ନିରାପଦ ମଣୁନାହାନ୍ତି। ତାରପୁର ପୁରୁଣା ବଜାର ଠାରୁ ଚିକିଣିଆ ରାସ୍ତା, ଚିକିଣିଆ ହଂସୁଆ ପୋଲ ଠାରୁ ଗୁଆଳିପୁର ଷ୍ଟେସନ ବଜାର ରାସ୍ତା, ବର୍ତ୍ତୀଛକ ଠାରୁ ରେଢୁଆ ହାଟ ପର୍ଯ୍ୟନ୍ତ ରାସ୍ତା, ସାଦେଇପୁର ବାଇଗୁଡି ଛକ ଠାରୁ ପଣ୍ଡାଛକ , ରଘୁନାଥପୁର ଠାରୁ ତାରପୁର ତାଳଦଣ୍ଡା କେନାଲ ବନ୍ଧ ଉଭୟ ପାର୍ଶ୍ୱ ରାସ୍ତା, ରଘୁନାଥପୁର ବଜାର ଓ ଅୟର ଛକ ଗୁଡିକରେ ଖୁଲମ୍ ଖୁଲା ଭାବେ ଚାଲୁଥିବା ବେଳେ ଥାନା ପିସିଆର ଭ୍ଯାନ କେଉଁ ଆଡ଼େ ନଯାଇ କେବଳ ଜଳଖିଆ ଦୋକାନ ଆଗରେ ଠିଆ ହୋଇ ଦାୟିତ୍ଵ ନିଭାଉଛନ୍ତି। ଗାଁ ଗହଳିରେ ସଞ୍ଜ ନଇଁଲେ ବୟସ୍କ ଲୋକ ଓ ସ୍ତ୍ରୀ ଲୋକମାନେ ପଦାକୁ ବାହାରି ବାକୁ ନିରାପଦ ମଣୁନାହାନ୍ତି। ଚୋରା ମଦ ସହିତ ବିଦେଶୀ ମଦ ଦୋକାନରୁ ମଦ ନେଇ ବେସରକାରୀ ଏଜେଣ୍ଟ ମାନେ ଗାଁ ଗହଳିରେ ପହଞ୍ଚାଇ ଦେଉଥିବାରୁ ନିଶା ସେବନର ବହୁଳତା ଦେଖିବାକୁ ମିଳିଛି। ଏଥି ସହିତ ଅବକାରୀ ବିଭାଗର ନିୟମକୁ ଉଲ୍ଲଂଘନ କରି ରଘୁନାଥପୁରରେ ଥିବା ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ବହୁ ମାତ୍ରାରେ ଖୋଲା ଯାଇଥିବାରୁ ଏହି ଦୋକାନ ସମ୍ମୁଖରେ ବହୁ ସମୟରେ ଦୁର୍ଘଟଣାମାନ ଘଟି ଅନେକ ଧନଜୀବନ ନଷ୍ଟ ହେଉଥିବାର ଦେଖିବାକୁ ମିଳୁଛି।ଏଥି ପ୍ରତି ରଘୁନାଥପୁର ଅଞ୍ଚଳର ବହୁ ସଚେତନ ନାଗରିକମାନେ ଅନେକ ଥର ଅବକାରୀ ବିଭାଗର ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରା ଯାଉନଥିବାରୁ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ରାଜ୍ୟ ସରକାର ନିଶା ନିବାରଣ ନିମନ୍ତେ ଡିଣ୍ଡିମ ପିଟୁ ଥିବା ବେଳେ ପ୍ରକୃତପକ୍ଷେ ଗାଁ ଠାରୁ ସହର ପର୍ଯ୍ୟନ୍ତ ନିଶାର ବ୍ୟାପକ ପ୍ରସାର ହେଉଥିବା ନେଇ ବୁଦ୍ଧିଜୀବୀ ମାନେ ଉଦବେଗ ପ୍ରକାଶ କରିଛନ୍ତି। ଏ ଦିଗରେ ରଘୁନାଥପୁର ବ୍ଲକ ଅଞ୍ଚଳରେ ଏକ ଆନ୍ଦୋଳନ ଡାକରା ଦେଇ ପ୍ରତିବାଦ କରିବାକୁ ସାଧାରଣରେ ଦାବି ହେଉଥିବା ବେଳେ ପ୍ରଶାସନ କି ପଦକ୍ଷେପମାନ ନେଉଛି ସେ ନେଇ ଚିନ୍ତାରେ ମଦ ବ୍ୟବସାୟୀ।
