କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ମଧ୍ୟ ବିପଦଜନକ ରାସ୍ତା: ଅବ୍ୟବସ୍ଥାରେ ଫୁଟିଉଠିଲା ଜନରୋଷ
ଦେବଗଡ଼: ବିକାଶର ନାମରେ କୋଟି କୋଟି ଟଙ୍କା ବ୍ୟୟ ହେଉଥିବା ସତ୍ତ୍ୱେ ମଧ୍ୟ ସାଧାରଣ ଲୋକଙ୍କ ପାଇଁ ମିଳୁଛି କେବଳ ଅସୁବିଧା ଓ ଅସୁରକ୍ଷା। ଲାଲୁ ସାହି ଛକରୁ ଏଡିଏମ କ୍ୱାଟର, ମହିଳା ମହାବିଦ୍ୟାଳୟ ସମ୍ମୁଖ ହୋଇ ଓଲଟବଟ ଓ ରଥପଦା ପର୍ଯ୍ୟନ୍ତ ଚାଲିଥିବା ରାସ୍ତା ନିର୍ମାଣ କାମ ଏବେ ଲୋକମାନଙ୍କ ଜୀବନକୁ ବିପଦରେ ପକାଇଦେଇଛି।
ରାସ୍ତା ମଝିରେ ବିଜୁଳି ଖୁଣ୍ଟ ରଖି ଅବୈଜ୍ଞାନିକ ଓ ଅବ୍ୟବସ୍ଥିତ ଭାବରେ କାମ କରାଯାଉଥିବାରୁ ଯାତାୟାତ ବ୍ୟବସ୍ଥା ପୂରାପୂରି ବିପର୍ୟସ୍ତ ହୋଇପଡ଼ିଛି। ବିଶେଷକରି ଏଡିଏମ କ୍ୱାଟର ସମ୍ମୁଖରେ ଥିବା ଟ୍ରାନ୍ସଫର୍ମର ଯୋଗୁ ରାସ୍ତା ଅତ୍ୟଧିକ ସଂକୀର୍ଣ୍ଣ ହୋଇପଡ଼ିଥିବାରୁ ଯେକୌଣସି ସମୟରେ ଭୟାବହ ଦୁର୍ଘଟଣା ଘଟିବାର ଆଶଙ୍କା ଜୋରଦାର ହେଉଛି।
ଏହା ସହିତ, ଖପରସାହି ଛକରେ ରାସ୍ତାର ଖାଲ ମରାମତି ନକରି ଅବହେଳାରେ ଛାଡ଼ି ଦିଆଯାଇଥିବାରୁ ସେଠାରେ ଚଳାଚଳ କରିବା ଏବେ ଜୀବନ ସହ ଖେଳ କରିବା ସମାନ ହୋଇପଡ଼ିଛି। ସ୍ଥାନୀୟ ଲୋକମାନେ ଏହାକୁ ‘ମୃତ୍ୟୁଫାନ୍ଦ’ ବୋଲି ବର୍ଣ୍ଣନା କରୁଛନ୍ତି।
ବିପୁଳ ଅର୍ଥ ବ୍ୟୟ ସତ୍ତ୍ୱେ ମଧ୍ୟ ଏପରି ଅସୁରକ୍ଷିତ ଓ ଅବ୍ୟବସ୍ଥିତ କାର୍ଯ୍ୟନିଷ୍ପାଦନ ନେଇ ସାଧାରଣ ଲୋକଙ୍କ ମନରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଏହା ସହିତ ସମ୍ବନ୍ଧିତ ବିଭାଗର ନିରବତା ଅନେକ ପ୍ରଶ୍ନକୁ ଜନ୍ମ ଦେଇଛି।
ଏହି ପରିସ୍ଥିତିରେ ତୁରନ୍ତ ଭିତ୍ତିରେ ଯଥାଯଥ ସୁଧାରମୂଳକ ପଦକ୍ଷେପ ଗ୍ରହଣ କରି ସାଧାରଣ ଲୋକଙ୍କ ଜୀବନ ସୁରକ୍ଷା ସୁନିଶ୍ଚିତ କରିବାକୁ ଜୋରଦାର ଦାବି ଉଠୁଛି। ପୂର୍ତ୍ତ ବିଭାଗ ଅଧିକାରୀଙ୍କ ସହ ଯୋଗାଯୋଗ ପ୍ରୟାସ କରାଯାଇଥିଲେ ମଧ୍ୟ ସେ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିବା ସହିତ ଯୋଗାଯୋଗ କଲେ ମଧ୍ୟ କୌଣସି ସନ୍ତୋଷଜନକ ପ୍ରତିକ୍ରିୟା ମିଳିନାହିଁ।
