ଓଡ଼ିଆରେ ନାମ ଫଳକ ଲେଖା ଅଭିଯାନ: ସଚେତନତା ପଦଯାତ୍ରା ଅନୁଷ୍ଠିତ
ଦେବଗଡ଼: ଜିଲ୍ଲା ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ଼ିଆରେ ନାମ ଫଳକ ଲେଖା ଅଭିଯାନକୁ ସଫଳ କରିବା ପାଇଁ ଏକ ସଚେତନତା ଶୋଭାପଦଯାତ୍ରା ଆୟୋଜିତ ହୋଇଯାଇଛି।
ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଜିଲ୍ଲା ଶ୍ରମ ଅଧିକାରିଣୀ ପଦ୍ମାବତୀ ମାରାଣ୍ଡିଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀ ଓ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ-କର୍ମଚାରୀଙ୍କ ସହଭାଗୀତାରେ ପଦଯାତ୍ରା ବାହାରିଥିଲା।
ଏହି ପଦଯାତ୍ରାକୁ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଭାରପ୍ରାପ୍ତ ପୌରପରିଷଦ ଅଧ୍ୟକ୍ଷ ପ୍ରଜିତ କୁମାର ଭୋଜ୍, ଶ୍ରମ ଅଧିକାରିଣୀ ପଦ୍ମାବତୀ ମାରାଣ୍ଡି, ଜିଲ୍ଲା ସଂସ୍କୃତି ଅଧିକାରୀ ମୁକେଶ କୁମାର ଭୋଇ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।
ପଦଯାତ୍ରା ସହର ପରିକ୍ରମା କରି ଲୋକମାନଙ୍କ ମଧ୍ୟରେ ଓଡ଼ିଆ ଭାଷାର ପ୍ରଚାର-ପ୍ରସାର ସମ୍ପର୍କିତ ସଚେତନତା ବାର୍ତ୍ତା ପ୍ରସାର କରିଥିଲା।
ଏହି ଅବସରରେ ଅଧିକାରୀମାନେ କହିଥିଲେ ଯେ, ଓଡ଼ିଆ ଏକ ପ୍ରାଚୀନ ଓ ସମୃଦ୍ଧ ଭାଷା ଓ ଏହାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଛି। ଭାଷାର ଅଧିକ ପ୍ରଚାର ପାଇଁ ସମସ୍ତ ଦୋକାନ, ବାଣିଜ୍ୟ ପ୍ରତିଷ୍ଠାନ ଓ ବ୍ୟବସାୟୀଙ୍କୁ ନିଜ ନାମ ଫଳକ ଓଡ଼ିଆରେ ଲେଖିବା ପାଇଁ ଅନୁରୋଧ କରାଯାଇଥିଲା। ସେଥିସହ ଦୋକାନମାନଙ୍କର କର୍ମକର୍ତ୍ତାଙ୍କୁ ଏନେଇ ସଚେତନ କରାଯାଇଥିଲା।
କାର୍ଯ୍ୟକ୍ରମରେ ଜିଲ୍ଲା ଶ୍ରମ ବିଭାଗର ରତନ କୁମାର ରାୟ ସହିତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।
