ବେଲଗୁଣ୍ଠାରେ ଗ୍ୟାସ୍ ମାଫିଆଙ୍କ ରାଜ୍: ଖାଉଟିଙ୍କୁ ଦୁର୍ବ୍ୟବହାର, ଶୋଇଛି ଯୋଗାଣ ବିଭାଗ !
ବେଲଗୁଣ୍ଠା-୨୪/୩-(ଶିବରାମ ଚୌଧୁରୀ )-ପ୍ରଶାସନିକ ଶିଥିଳତା ନା ମଧୁଚନ୍ଦ୍ରିକା? ବେଲଗୁଣ୍ଠା ଅଞ୍ଚଳରେ ଗ୍ୟାସ୍ ଯୋଗାଣ ବ୍ୟବସ୍ଥାକୁ ନେଇ ଏବେ ଏଭଳି ପ୍ରଶ୍ନ ଉଠିଛି। ଗୋଟିଏ ପଟେ ସ୍ଥାନୀୟ ବିତରଣ କେନ୍ଦ୍ରର ମନମାନୀ ଓ ଅନ୍ୟପଟେ ବାହାର ଅଞ୍ଚଳରୁ ଆସି ଚଢ଼ା ଦରରେ ଗ୍ୟାସ୍ ବିକ୍ରି ହେଉଥିଲେ ମଧ୍ୟ ସ୍ଥାନୀୟ ଏମ୍ଆଇଙ୍କ ଦେଖା ନମିଳିବା ଘଟଣା ଏବେ ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି।ବେଲଗୁଣ୍ଠା ସ୍ଥିତ କେଏସୟୁବି ଗ୍ୟାସ୍ ବିତରଣ କେନ୍ଦ୍ର ନିଜର ଇଚ୍ଛା ମୁତାବକ ଦିନ ୧୨ଟାରେ ଖୋଲୁଛି। ପ୍ରଚଣ୍ଡ ଖରାରେ ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡ଼ା ହେବା ପରେ ଗ୍ରାହକଙ୍କୁ ମିଳୁଛି କେବଳ ନିରାଶା। ସବୁଠାରୁ ଆଶ୍ଚର୍ଯ୍ୟର କଥା, ଯଦି କେହି ଗ୍ରାହକ ବିଳମ୍ବର କାରଣ ପଚାରୁଛନ୍ତି, ତେବେ ତାଙ୍କୁ କେନ୍ଦ୍ର କର୍ତ୍ତୃପକ୍ଷଙ୍କ ଠାରୁ ଅତ୍ୟନ୍ତ ଅସଭ୍ୟ ଓ ଦୁର୍ବ୍ୟବହାର ସହିବାକୁ ପଡ଼ୁଛି।ଆସ୍କା ବ୍ଲକ୍ର ନିମିନା ଅଞ୍ଚଳରୁ ଭାରତ ଗ୍ୟାସ୍ ଗାଡ଼ି ଆସି ବେଲଗୁଣ୍ଠାର ଗୋବରା ଓ ଗାଙ୍ଗପୁର ଅଞ୍ଚଳରେ ଖୁଲମଖୁଲା ଚଢ଼ା ଦରରେ ଗ୍ୟାସ୍ ବିକ୍ରି କରୁଛନ୍ତି। ନିୟମ ଅନୁଯାୟୀ ଏହା ସମ୍ପୂର୍ଣ୍ଣ ବେଆଇନ ହୋଇଥିବା ବେଳେ, କାହା ଛତ୍ରଛାୟା ତଳେ ଏହି କଳାବଜାରୀ ଚାଲିଛି, ତାହା ଏବେ ବଡ଼ ପ୍ରଶ୍ନ।ସାଧାରଣ ଜନତାଙ୍କ ଅଭିଯୋଗ ଶୁଣିବା ପାଇଁ ଉଦ୍ଦିଷ୍ଟ ବେଲଗୁଣ୍ଠା ଏମ୍ ଆଇ ଏବେ ନିଖୋଜ ଥିବା ଭଳି ମନେହେଉଛି। ତାଙ୍କର ଡ୍ୟୁଟି ସମୟ ଦିନ ଗୋଟାଏରୁ ଆରମ୍ଭ ହେଉଛି ବୋଲି ଶୁଣାଯାଉଥିବା ବେଳେ, ଅଫିସ୍ରେ ତାଙ୍କର ଦର୍ଶନ ମିଳିବା କଷ୍ଟକର ହୋଇପଡ଼ିଛି ତା ସହିତ ଫୋନ୍ ବି ରିସିଭ୍ ନ କରିବା ଭଳି ଅଭିଯୋଗ ଆସିଛି । ଖାଉଟିଙ୍କ ସମସ୍ୟା ପ୍ରତି ଏଭଳି ବେପରୁଆ ମନୋଭାବ ପ୍ରଶାସନର “ସ୍ୱଚ୍ଛତା” ଉପରେ ଏକ ବଡ଼ କଳଙ୍କ।ଏ ନେଇ ଉଚ୍ଚ ପଦସ୍ଥ ଅଧିକାରୀ ତଦନ୍ତ କରି ପଦକ୍ଷେପ ନେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।
