-ଟାଙ୍ଗରା ଭୁଇଁରେ ସୁନାରଫସଲ କଲେ ତପସ୍ୱିନୀ ମାଝୀ ବରଗଡ :୧୭/୦୩(ଯୋଗେନ୍ଦ୍ର ସାହୁ) ହାତ ପାହାନ୍ତାରେ ହୀରାକୁଦ କେନାଲ । ନିକଟରେ ବୁରୋଗାଡ଼ ନାଳା । ହେଲେ ଜମିକୁ ପାଣି ମାଡୁନଥିଲା । ଆଖ ଆଗରେ ପାଣି ବୋହି ଯାଉଥିଲେ ବି ଚାଷ ଜମିକୁ ଜଳସେଚନ ହୋଇପାରୁନଥିଲା । ଆଉ ଜମି ସବୁ ପଡ଼ିଆ ହୋଇ ଟାଙ୍ଗରା ଭୂଇଁରେ ପରିଣତ ହୋଇଥିଲା । ଦୀର୍ଘ ବର୍ଷ ପରେ ଶେଷରେ ଘରୁ ପାଦ କାଢ଼ିଥିଲେ ବରପାଲି ବ୍ଲକ ବହିଆପଦର ଗାଁର ୩୪ ବର୍ଷୀୟା ବିବାହିତା ମହିଳା ତପସ୍ୱିନୀ ମାଝୀ । ଉଠାଜଳସେଚନ ବିଭାଜନ ଅଧିକାରୀଙ୍କୁ ଭେଟି ପାଣି ସମସ୍ୟାର ସମାଧାନ ପାଇଁ କରିଥିଲେ ଦୃଷ୍ଟି ଆକର୍ଷଣ । ବାସ ! ଏହାପରେ ୨୦୧୬ ମସିହାରେ ଉଠାଜଳସେଚନ ବିଭାଗ ପକ୍ଷରୁ ବୁରୋଗାଡ଼ ନଦୀରେ ସ୍ୱତନ୍ତ୍ର ଭାବେ କମ୍ୟୁନିଟି ଉଠାଜଳସେଚ ପ୍ରକଳ୍ପ ସ୍ଥାପନ କରାଯାଇଥିଲା । ଆଉ ଏହାପରେ ଟାଙ୍ଗରା ଭୂଇଁକୁ ହୋଇଛି ଜଳସେଚନର ସୁବିଧା । ତପସ୍ୱିନୀ ମୁଣ୍ଡ ଝାଲ ତୁଣ୍ଡେ ଦେଇ ୫ ଏକର ଟାଙ୍ଗରା ଭୂଇଁରେ ଅକ୍ଲାନ୍ତ ପରିଶ୍ରମ କରି କଲରା, କୋବି, ଧାନ ଚାଷ କରି ବର୍ଷକୁ ୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଅପହଞ୍ଚ ଇଲାକାର ତପସ୍ୱିନୀ ନିଜେ ସ୍ୱାବଲମ୍ବୀ ହେବା ସହିତ ଗାଁର ୬ ଜଣ ବେକାର ଯୁବକ ଯୁବତୀଙ୍କୁ ଦେଇଛନ୍ତି କର୍ମ ନିଯୁକ୍ତିର ଭରପୁର ସୁଯୋଗ । ନବମ ଶ୍ରେଣୀ ପାଠ ପଢିଥିବା ତପସ୍ୱିନୀ ତାଙ୍କ ଦୁଇ ଝିଅଙ୍କୁ ପାଠ ପଢ଼ାଇବା ସହିତ ଘରର ସମସ୍ତ ଖର୍ଚ୍ଚ ନିଜେ ବହନ କରୁଛନ୍ତି । ଆଉ ଏହି ଚାଷ କାମରେ ସ୍ୱାମୀ ଛତ୍ରଧର ପତ୍ନୀ ତପସ୍ୱିନୀଙ୍କୁ ପ୍ରୋତ୍ସାହନ କରିଥାନ୍ତି । ଗାଉଁଲି ଗାଁର ସଫଳ ମହିଳା ଚାଷୀ ତପସ୍ବିନୀଙ୍କ ମାଝୀ l
