ହାଇବା ଦୂର୍ଘଟଣାରେ ଦୁଇ ଗୁରୁତର
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-୧୫/୦୩,ବେଲଗୁଣ୍ଠା ବ୍ଲକ୍ ଗାଙ୍ଗପୁର ଥାନା ଅନ୍ତର୍ଗତ ରତନପୁର ନିକଟରେ ଲୋହରାଖଣ୍ଡି ନଦୀ ହିଡ଼ରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି I ସୂଚନା ପ୍ରକାରେ ସୋମନାଥପଲ୍ଲୀର ପ୍ରତାପ ଦାସ ବୃତ୍ତିରେ ଜଣେ ଟ୍ରାକ୍ଟର୍ ଚାଳକ ଅଟନ୍ତି I ଆଜି ସଂକ୍ରାନ୍ତି ଯୋଗୁଁ କାମ ଛୁଟି ଥିବାରୁ ବେଲଗୁଣ୍ଠା ଥାନା ବଲାଡ଼ି ଗ୍ରାମରେ ରହୁଥିବା ନିଜ ସମ୍ପର୍କୀୟ ନିରଞ୍ଜନ ବେହେରାଙ୍କ ଘରକୁ ଯାଇ ମଧ୍ୟାହ୍ନ ସମୟରେ ନିରଞ୍ଜନଙ୍କ ପୁଅ ଜଗନ୍ନାଥ ବେହେରା(୨୫)ଙ୍କ ସହିତ ମୋଟରସାଇକେଲ୍ ଯୋଗେ ନିଜ ଗ୍ରାମ ସୋମନାଥପଲ୍ଲୀକୁ ଫେରୁଥିଲେ I ସ୍ଥାନୀୟ କିଛି ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ପ୍ରକାରେ ଜଗନ୍ନାଥ ଏବଂ ପ୍ରତାପ ଏକ ମୋଟରସାଇକେଲ୍ ରେ ନଦୀହିଡ଼କୁ ଉଠିବା ସମୟରେ ପଛପଟୁ ଏକ ହାଇୱା ଆସି ଜଗନ୍ନାଥଙ୍କ ମୋଟରସାଇକେଲ୍ କୁ ପାର୍ଶ୍ୱରୁ ଧକ୍କା ଦେଇଥିଲା I ଫଳରେ ଜଗନ୍ନାଥ ଏବଂ ପ୍ରତାପ ଛିଟିକି ପଡ଼ିଥିଲେ I ଉଭୟେ ତଳେ ପଡ଼ିଯିବା ପରେ ହାଇୱାଟି ଜଗନ୍ନାଥଙ୍କ ଅଣ୍ଟା ଉପରେ ମାଡ଼ିଯାଇଥିଲା I ପରେ ହାଇୱାଟି ପଛକୁ ଖସିବା ସମୟରେ ତଳେ ପଡିଯାଇଥିବା ପ୍ରତାପଙ୍କ ହାତ ଉପରେ ମଧ୍ୟ ମାଡ଼ିଯାଇଥିଲା I ଫଳରେ ଜଗନ୍ନାଥ ଗୁରୁତର ଆହତ ହୋଇଥିବା ବେଳେ ପ୍ରତାପଙ୍କର ମଧ୍ୟ ଗୋଟିଏ ହାତ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି I ଉଭୟଙ୍କୁ ସ୍ଥାନୀୟ ଲୋକେ ପ୍ରଥମେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିବା ପରେ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି I ଉଭୟ ଜଗନ୍ନାଥ ଏବଂ ପ୍ରତାପ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଉଭୟଙ୍କୁ ସରକାରଙ୍କ ପକ୍ଷରୁ ଉନ୍ନତମାନର ଚିକିତ୍ସା ଯୋଗାଇଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି I ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ବେଳେ ଖବର ପାଇ ଗାଙ୍ଗପୁର ପୋଲିସ୍ ଘଟଣା ସ୍ଥଳରେ ପହଂଚି ଉଭୟ ଗାଡ଼ିକୁ ଜବତ କରିଛି I ଭିଡକୁ ନିୟନ୍ତ୍ରଣ କରିଛି l ଦୂର୍ଘଟଣା ଘଟାଇଥିବା ହାଇୱା ଚାଳକ ଘଟଣା ସ୍ଥଳରୁ ଚମ୍ପଟ୍ ମାରିଛି I
ଫଟୋ
