*ନୂଆପଡ଼ାରେ ଅନ୍ତର୍ଜାତୀୟ ମହିଳା ଦିବସ ଉଦଯାପନୀ ଦିବସରେ ବିଶାଳ ସ୍ଲୋ ମାରାଥନ ଅନୁଷ୍ଠିତ l*
ନୂଆପଡ଼ା(ମିଖାଏଲ ନନ୍ଦ)
ତା. ୦୮.୦୩
ନୂଆପଡ଼ା ଜିଲ୍ଲାରେ ଅନ୍ତର୍ଜାତୀୟ ମହିଳା ଦିବସ–୨୦୨୬ର ତୃତୀୟ ତଥା ଉଦଯାପନୀ ଦିବସରେ ସଦର ମହକୁମାରେ କ୍ରୀଡ଼ା ବିଭାଗ ପକ୍ଷରୁ ଏକ ସ୍ଲୋ ମାରାଥନର ଆୟୋଜନ କରଯାଇଥିଲା। ଜିଲ୍ଲାପାଳ ମଧୁସୂଦନ ଦାଶ ଏହି ମାରାଥନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏଥିରେ ପ୍ରାୟ ୩୫୦ ଜଣ ବାଳିକା ଓ ମହିଳା ଅଂଶଗ୍ରହଣ କରିଥିଲେ। ନୂଆପଡ଼ାର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରୀ, ଅଭିଭାବକ, ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ମଧ୍ୟ ବହୁ ସଂଖ୍ୟାରେ ଯୋଗଦେଇଥିଲେ।
ସ୍ଲୋ ମାରାଥନରେ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ, ଉପଜିଲ୍ଲାପାଳ ସୁର୍ମି ସୋରେନ, ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ, ଡି ଆର୍ ସି ଏସ ଶିବ ପ୍ରସାଦ ସ୍ୱାଇଁ, ଉପ ନିର୍ଦ୍ଦେଶକ ପରିସଂଖ୍ୟାନ ଦିଲେଶ୍ଵର ଧରୁଆ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ସ୍ୱଚ୍ଛତା ଅଧିକାରୀ ଅନିଲ ଲେଙ୍କା, ଯୋଗ ଗୁରୁ ଶଶୀ ଭୂଷଣ ପାଣିଗ୍ରାହୀ ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ ।ଏହି ଅବସରରେ ଯୋଗ ଗୁରୁ ଶଶୀ ଭୂଷଣ ପାଣିଗ୍ରାହୀ ସମସ୍ତଙ୍କୁ ଯୋଗାଭ୍ୟାସ କରାଇଥିବା ବେଳେ ଦେବବ୍ରତ ସାହୁ ଶାରୀରିକ ବ୍ୟାୟାମ କରାଇଥିଲେ। ଜିଲ୍ଲାପାଳ ଉପସ୍ଥିତ ଛାତ୍ରୀ ଏବଂ ମହିଳାମାନଙ୍କୁ ଉଦବୋଧନ ଦେଇ କହିଲେ ଯେ ,ସ୍ୱାସ୍ଥ୍ୟ ହିଁ ସମ୍ପଦ ଓ ସୁସ୍ଥ ରହିବା ପାଇଁ ନିୟମିତ ଶାରୀରିକ ବ୍ୟାୟାମ, ଯୋଗ, ପ୍ରାଣାୟାମ ଓ ଖେଳକୁଦ ଅତ୍ୟାବଶ୍ୟକ। ସମାରୋହରେ
କ୍ରୀଡା କ୍ଷେତ୍ରରେ ଜାତୀୟ ସ୍ତରରେ ଉଲ୍ଲେଖନୀୟ ସଫଳତା ପାଇଁ କୁମାରୀ କୌଶଲ୍ୟା ମାଝୀଙ୍କୁ ଜିଲ୍ଲାପାଳ ଉପଢୌକନ ଓ ମୋମେଣ୍ଟୋ ପ୍ରଦାନ କରି ସମ୍ମାନିତ କରିଥିଲେ। ସେହିପରି ତିନିଦିନ ଧରି ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରତିଭାଗୀ ଭାବେ କୁମାରୀ ଗୋପୀ ବରିହାଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।ଶେଷରେ ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢାଇ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।
