*ନୂଆପଡାରେ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ କବିତା ପାଠୋତ୍ସବ ଆୟୋଜିତ* l
ନୂଆପଡା(ମିଖାଏଲ ନନ୍ଦ)
, ତା. ୦୮.୦୩.୨୦୨୬
ନୂଆପଡ଼ା ଜିଲ୍ଲାରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୁଲ୍ୟରେ ଏକ କବିତା ପାଠୋତ୍ସବ ସ୍ଥାନୀୟ ସଦଭାବନା ସଭାଗୃହରେ ଆୟୋଜିତ ହୋଇଯାଇଛି। ସମାରୋହରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ଶ୍ରୀମତୀ ସୁର୍ମି ସୋରେନ, ଜିଲ୍ଲା ପରିଷଦ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ କ୍ଷମାନିଧି ଭୋଇ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।
ପ୍ରାରମ୍ଭରେ ଅତିଥି ମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ସମସ୍ତଙ୍କୁ ସ୍ଵାଗତ କରିଥିଲେ।ଏହି ଅବସରରେ ଜିଲ୍ଲାର ବିଭିନ୍ନ କ୍ଷେତ୍ରରୁ ଆସିଥିବା କବୟତ୍ରୀମାନେ ମହିଳା ସଶକ୍ତିକରଣ, ସମାଜରେ ନାରୀଙ୍କ ଭୂମିକା ଓ ସମକାଳୀନ ସାମାଜିକ ପରିପ୍ରେକ୍ଷୀକୁ ଆଧାର କରି ନିଜର କବିତା ପାଠ କରିଥିଲେ। ଏହି ବହୁଭାଷୀ କବିତା ପାଠ ମାଧ୍ୟମରେ ନାରୀଙ୍କ ସମ୍ମାନ, ସମାନତା ଓ ସଶକ୍ତିକରଣର ସନ୍ଦେଶ ପ୍ରସାର ହୋଇଥିଲା। ସର୍ବ କନିଷ୍ଠ କୁନି କବିଙ୍କ ବୟସ ଆଠ ବର୍ଷ ଥିଲାବେଳେ ବରିଷ୍ଠ କବିଙ୍କ ବୟସ ୮୩ ବର୍ଷ ଥିଲା l
ସଭାରେ ଜିଲ୍ଲାପାଳ ମହିଳାଙ୍କ ସମ୍ମାନ ଓ ସମାନ ଅଧିକାର ସୁନିଶ୍ଚିତ କରିବା ପାଇଁ ସମାଜର ସମସ୍ତଙ୍କୁ ସଚେତନ ହେବାକୁ ଆହ୍ୱାନ କରିଥିଲେ। ସେ କହିଥିଲେ ଯେ ସାହିତ୍ୟ ଓ ସଂସ୍କୃତି ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ମହତ୍ୱପୂର୍ଣ୍ଣ ଭୂମିକା ନିଭାଇ ଥାଏ। କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ ସଂଖ୍ୟକ କବି, କବୟତ୍ରୀ ଓ କବିତା ପ୍ରେମୀ ଶ୍ରୋତା ଯୋଗଦେଇଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ମହରା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଓ କବି ତଥା ଶିକ୍ଷକ ଭବୋତୋଷ ଦାଶ , କବିୟତ୍ରୀ ଶୁଭଶ୍ରୀ ଜେନା ଓ ପ୍ରତିମା ରାଜ ସଂଯୋଜନା କରିଥିଲେ। ଶେଷରେ ସ୍ୱଚ୍ଛତା ସଂଯୋଜକ ଅନିଲ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ l ଜିଲ୍ଲାପାଳଙ୍କ ଆଗ୍ରହକ୍ରମେ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଆୟୋଜିତ ଏହି କବିତା ପାଠୋତ୍ସବରେ କବୟିତ୍ରୀମାନେ ବହୁ ଉତ୍ସାହର ସହିତ ଅଂଶ ଗ୍ରହଣ କରି ଆନନ୍ଦିତ ହୋଇଥିଲେ l
