*ନୂଆପଡାରେ ଏକ ନୂତନ ସାଇବର ଓ ଅର୍ଥନୈତିକ ଅପରାଧ ଥାନା ଉଦ୍ଘାଟିତ l*
ନୂଆପଡା( ମିଖାଏଲ ନନ୍ଦ)
ତା. ୦୭/୦୩
ମାନ୍ୟବର କେନ୍ଦ୍ର ଗୃହ ଓ ସମବାୟ ବିଭାଗ ମନ୍ତ୍ରୀ ଅମିତ ଶାହ ଆଭାସୀ ମାଧ୍ୟମରେ ନୂଆପଡାରେ ଏକ ନୂତନ ସାଇବର ଓ ଅର୍ଥନୈତିକ ଅପରାଧ ଥାନା ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଅନେକ ଗୁଡ଼ିଏ ସାଇବର ଓ ଅର୍ଥନୈତିକ ଅପରାଧ ପୋଲିସ୍ ଥାନାକୁ ଏକାସାଥିରେ ଉଦ୍ଘାଟନ କରାଯାଇଛି।ଭୁବନେଶ୍ୱର ୟୁନିଟ୍–୩ ଅଞ୍ଚଳର ଇଡକୋ ପ୍ରଦର୍ଶନୀ ପଡିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡା, ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ନଗର ଉନ୍ନୟନ ମନ୍ତ୍ରୀ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ର, ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ପ୍ରମୁଖ ବିଶିଷ୍ଟ ଅତିଥିମାନେ ଉପସ୍ଥିତ ଥିଲେ।ଏହି ଅବସରରେ ନୂଆପଡା ପୋଲିସ୍ ଥାନାରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମଧୁସୂଦନ ଦାଶ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ ସିଂ ଏହି ଥାନାର ନାମ ଫଳକ ବାସ୍ତବ ଉଦ୍ଘାଟନ କରିଥିଲେ l
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଣଜିତ୍ ନାୟକଙ୍କ ସହ ପୋଲିସ୍ ବିଭାଗର ସମସ୍ତ ଅଧିକାରୀ , ସମସ୍ତ ଥାନା ଅଧିକାରୀ, ନୂଆପଡ଼ାର ମାନ୍ୟ ଗଣ୍ୟ ବ୍ୟକ୍ତି,ବରିଷ୍ଠ ନାଗରିକ ମଣ୍ଡଳୀ, ଗଣ ମାଧ୍ୟମର ପ୍ରତିନିଧି ଯୋଗଦେଇ ଏହି ଭର୍ଚୁଆଲ୍ ଉଦ୍ଘାଟନ କାର୍ଯ୍ୟକ୍ରମକୁ ବଡ଼ ପରଦାରେ ଉପଭୋଗ କରିଥିଲେ।ନୂଆପଡାରେ ସାଇବର ଓ ଅର୍ଥନୈତିକ ଅପରାଧ ପୋଲିସ୍ ଥାନା ସ୍ଥାପନ ହେବାରୁ ସାଇବର ଠକେଇ ଓ ଅନଲାଇନ୍ ଅର୍ଥନୈତିକ ଅପରାଧ ସମ୍ବନ୍ଧୀୟ ଅଭିଯୋଗର ଶୀଘ୍ର ତଦନ୍ତ ଓ ନିବାରଣରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ ବୋଲି ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଆଶା ପ୍ରକାଶ କରିଛନ୍ତି।
