ବନ୍ଦ ରହିଥିବା ବିରଳା ଟାୟାରସ ଚାଲିଲା ! ହେଲେ ଦିଗହରା ହୋଇଗଲେ ସେ ଦିନର ହଜାର ହଜାର ସଂଖ୍ୟାରେ ଶ୍ରମିକ କର୍ମଚାରୀ !
ଆଜି ବିଶ୍ୱ ଶ୍ରମିକ ଦିବସ ! ଆଖିରେ ଲୁହ ମନରେ କୋହ ଭିତରେ ସେ ଦିନର ଶ୍ରମିକ କର୍ମଚାରୀ ଆଉ ଖୋଜି ପାଉ ନାହାଁନ୍ତି ସେ ଦିନର ଅତ୍ୟନ୍ତ ଟିକିଏ ଖୁସି ! ଲୁହର ଧାର ଭିତରେ ସତେ ଯେମିତି ସବୁକିଛି ରହିଗଲା ଏକ ସ୍ମୃତିର ଗାର ହୋଇ ! ୧୯୯୦ ମସିହାରେ ପ୍ରତିଷ୍ଠା ହୋଇଥିବା ବାଲେଶ୍ଵରର ବିରଳା ଟାୟାରସରେ ୨୦୧୦ ପର୍ଯ୍ୟନ୍ତ ସବୁକିଛି ଠିକଠାକ ଚାଲିଥିବା ନଜିର ରହିଥିବା ବେଳେ, ମ୍ୟାନେଜମେଣ୍ଟ ପରିବର୍ତ୍ତନର ପରବର୍ତ୍ତୀ ସମୟରେ ଧୀରେ ଧୀରେ ସବୁକିଛି ଓଲଟପାଲଟ ହୋଇଗଲା। ଏପରିକି ୨୦୧୯ ମସିହାରେ କମ୍ପାନୀ ସମ୍ପୂର୍ଣ୍ଣ ଭାବେ ଠପ ହୋଇଯାଇଥିବା ବେଳେ, ଅନିଶ୍ଚିତତା, ଆଶଙ୍କା ଆଉ ସଂଘର୍ଷ ଭିତରେ ଠେଲି ହୋଇ ଗଲେ ଲହୁଲୁହ ଦେଇ ବିଗତ ଦିନରେ କମ୍ପାନୀ କୁ ଶିଖରରେ ପହଞ୍ଚାଇଥିବା ହଜାର ହଜାର ଶ୍ରମିକ କର୍ମଚାରୀ। କିଂ କର୍ତ୍ତବ୍ୟ ବିମୁଢ ସ୍ଥିତିରେ ଦିଶାହୀନ ଶ୍ରମିକ କର୍ମଚାରୀ କମ୍ପାନୀକୁ ଚାଲୁ କରିବା ପାଇଁ କମ୍ପାନୀ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ, ସ୍ଥାନୀୟ ଜନ ପ୍ରତିନିଧି, ବିଭାଗୀୟ ମନ୍ତ୍ରୀ ଏପରିକି ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବି ସବୁକିଛି ଫେଲ ମାରିଯାଇଥିବା ନଜିର ରହିଛି। କମ୍ପାନୀ କର୍ତ୍ତୃପକ୍ଷଙ୍କ ମେରୀରାୟ ନୀତି ଆଉ ବିଭିନ୍ନ ଆଇନ କାନୁନ ଭିତରେ ପେଶୀ ହୋଇ ଶ୍ରମିକ ମାନେ ହାର ନ ମାନି କମ୍ପାନୀ ଚାଲୁ କରିବା ପାଇଁ ସଂଘର୍ଷ ଜାରି ଭିତରେ ଅନେକ ଶ୍ରମିକ କର୍ମଚାରୀଙ୍କ ଜୀବନ ବି ଚାଲିଗଲା, ଆଉ ଅନେକ ଶ୍ରମିକ କର୍ମଚାରୀଙ୍କ ଦୁଃଖ ଦରଦୀର ବାସ୍ତବ ଚିତ୍ର ଏବେବି ବାଲେଶ୍ଵର ତଥା ଆଖପାଖ ଅଞ୍ଚଳରେ ଦେଖିବାକୁ ମିଳୁଛି। ଏମିତିକି ନିଜର ପରିବାର ପୋଷଣ ପାଇଁ କିଏ ରାସ୍ତା କଡ଼ରେ ଦୋକାନଟିଏ କରିଛି ତ ପୁଣି କିଏ ଠେଲା ଟାଣିବାକୁ ବି ପଛାଇ ନାହିଁ। କେହି କେହି ବାହାର ରାଜ୍ୟକୁ କିଛି କାମ କରିବା ପାଇଁ ପଳାଇ ଯାଇଥିବା ବେଳେ, ଆଉ କେହି କେହି ଏବେବି ବଂଚିବା ପାଇଁ ସଂଗ୍ରାମ ଜାରି ରଖିଥିବା ଦେଖିବାକୁ ମିଳୁଛି। ସେ ସମୟରେ ଯେଉଁ କାରଖାନା ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ସାମାଜିକ ଅର୍ଥନୈତିକ ବିକାଶ କ୍ଷେତ୍ରରେ ଏକ ମେରୁଦଣ୍ଡର ରୂପ ଧାରଣ କରି ଠିଆ ହୋଇଥିଲା, ଆଜି ସେହି କାରଖାନା ପୁଣି ଆଉ ଥରେ ଚାଲୁ ହୋଇଛି ସତ, ହେଲେ ଅନ୍ଧାରର କୁହୁଡ଼ି ଭିତରେ ଦିଗହରା ହୋଇଗଲେ ସେ ଦିନର କାର୍ଯ୍ୟରତ ଥିବା ହଜାର ହଜାର ଶ୍ରମିକ କର୍ମଚାରୀ ଯାହାକି ସେମାନଙ୍କ ଜୀବନ ଚଲାପଥର ଏକ ଅଲିଭା ଦାଗ ହୋଇ ରହିଗଲା କହିଲେ ଅତ୍ୟୁକ୍ତି ହେବନାହିଁ।।।
।।।ବାଲେଶ୍ବର ରୁ ସ୍ୱତନ୍ତ୍ର ପ୍ରତିନିଧି ସମ୍ବିତ କୁମାର ବେହେରାଙ୍କ ରିପୋର୍ଟ।।।
