ଟିବି ଫୋରମ୍ ଓ ଯକ୍ଷ୍ମା ମୃତ୍ୟୁ ସମୀକ୍ଷା ବୈଠକ ଅନୁଷ୍ଠିତ
ଦେବଗଡ଼ : ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲା ସ୍ତରୀୟ ଟିବି ଫୋରମ୍ ଓ ଯକ୍ଷ୍ମା ମୃତ୍ୟୁ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ପ୍ରଭାତ କୁମାର ଓଝାଙ୍କ ଆହ୍ୱାନ କ୍ରମେ ଏହି ବୈଠକ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ସଂପନ୍ନ ହୋଇଥିଲା।
ବୈଠକରେ ଜିଲ୍ଲାପାଳ ଶ୍ରୀ ସାହୁ ଜଣାଇଥିଲେ ଯେ, ଦେଶବ୍ୟାପୀ “ଯକ୍ଷ୍ମା ମୁକ୍ତ ଭାରତ” ଅଭିଯାନ ଅନ୍ତର୍ଗତ ଦେବଗଡ଼ ଜିଲ୍ଲାରେ ୨୪ ମାର୍ଚ୍ଚ ଠାରୁ ୧୦୦ ଦିନିଆ ବିଶେଷ କ୍ୟାମ୍ପେନ୍ ଚାଲିଛି। ଏହି ଅବସରରେ ବିପଦସଙ୍କୁଳ ଗ୍ରାମଗୁଡ଼ିକରେ “ଆୟୁଷ୍ମାନ ଆରୋଗ୍ୟ ଶିବିର” ଆୟୋଜନ କରି ଯକ୍ଷ୍ମା ରୋଗ ନିର୍ଣ୍ଣୟକୁ ଜୋରଦାର କରିବାକୁ ସେ ଉଲ୍ଲେଖ କରିଥିଲେ। ଭ୍ରାମ୍ୟମାଣ ଏକ୍ସ-ରେ ସେବା, କଫ ପରୀକ୍ଷା ସହ ଅନ୍ୟାନ୍ୟ ଅସଂକ୍ରାମକ ରୋଗର ଯାଞ୍ଚକୁ ମଧ୍ୟ ଗୁରୁତ୍ୱ ଦିଆଯିବାକୁ ସେ କହିଥିଲେ।
ସେହିପରି ବାରକୋଟ ବ୍ଲକର ୭୯ଟି, ତିଲେଇବନି ବ୍ଲକର ୪୪ଟି ଓ ରିଆମାଳ ବ୍ଲକର ୬୨ଟି ବିପଦସଙ୍କୁଳ ଗ୍ରାମରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଆୟୋଜନ ପାଇଁ ସେ ପରାମର୍ଶ ଦେଇଥିଲେ।
ଏହି ବୈଠକରେ ଅତିରିକ୍ତ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଦିଲୀପ କୁମାର ପ୍ରଧାନ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀ ହେମନ୍ତ ସିଂହ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ମନୋରଞ୍ଜନ ସୂତାର, ଶ୍ୱାସରୋଗ ବିଶେଷଜ୍ଞ ଡ଼ା. ଦେବରଞ୍ଜନ କବି, ଉପନିର୍ଦ୍ଦେଶକ (ଯୋଜନା) ଶ୍ରୀ ଗୟାରାମ ମାରାଣ୍ଡି, ସଭାପତି ଜିତା ଅନୁପମା ରାଉତ, ଓକିଲ ବାଣେଶ୍ୱର ଦାସ, ସାମ୍ବାଦିକ ବ୍ରିଜେଶ ରଞ୍ଜନ ସାହୁ ସହ ଜିଲ୍ଲାର ଏନ୍.ଟି.ଇ.ପି କର୍ମଚାରୀମାନେ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମକୁ ଡି.ପି.ସି (ଏନ୍.ଟି.ଇ.ପି) ଆଶୁତୋଷ ଦାସ ସଂଚାଳନା କରିଥିଲେ।
