*ହୀରାପୁର ସରକାରୀ ହାଇସ୍କୁଲର ବାର୍ଷିକ ଉତ୍ସବ*
*( ଶୃଙ୍ଖଳିତ ଛାତ୍ରଛାତ୍ରୀ ଦେଶ ବିକାଶର ପ୍ରମୁଖ ସାରଥୀ : କୁଳପତି )*
ବସ୍ତା : ୨୩/୦୨ (ନି.ପ୍ର)
ବସ୍ତା ବ୍ଲକ ଅନ୍ତର୍ଗତ ରୂପସା ସ୍ଥିତ ହୀରାପୁର ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବଳ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ ବାରିଦ୍ ବରନ ପ୍ରଧାନ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷୟିତ୍ରୀ ସସ୍ମିତା ବାଡୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଛାତ୍ରୀ ଯାଗ୍ୟଶ୍ରୀ ରାଉତ, ରୀନା ସାହୁ, ଯାଗ୍ୟବାହିନୀ ସାହୁ ଓ ବର୍ଷା ପ୍ରିୟଦର୍ଶିନୀ ବାରିକ ପ୍ରମୁଖ ପ୍ରାରମ୍ଭିକ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ । ମୁଖ୍ୟ ଅତିଥି ଭାବେ ବାଲେଶ୍ୱରସ୍ଥିତ ଫକୀର ମୋହନ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଉତ୍ସବକୁ ଉଦଘାଟନ କରିବା ସହ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ମାନଙ୍କୁ ସଚେତନ କରାଇଥିଲେ । ଉତ୍ତମ ଛାତ୍ରଛାତ୍ରୀ ଗଢ଼ିବାକୁ ହେଲେ ପ୍ରଥମେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସମୟ ଦେବାକୁ ପଡ଼ିବ ଓ ସେମାନଙ୍କୁ ଶୃଙ୍ଖଳିତ ଗଢି ତୋଳିବାକୁ ପଡ଼ିବ ବୋଲି ପରାମର୍ଶ ପ୍ରଦାନ କରିଥିଲେ । ଶୃଙ୍ଖଳିତ ଛାତ୍ର ଛାତ୍ରୀ ଦେଶ ବିକାଶର ପ୍ରମୁଖ ସାରଥୀ ବୋଲି ସେ ତାଙ୍କ ବକ୍ତବ୍ୟରେ ମତବ୍ୟକ୍ତ କରିଥିଲେ । ମଧୁସ୍ମିତା ନାୟକ, ଜଗଦୀଶ ବ୍ରହ୍ମଚାରୀ ଓ କାହ୍ନୁ ଚରଣ ସ୍ୱାଇଁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଅପାଲି ଅପରାଜିତା ଡ଼ଗର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଗିରିଜା ଶଙ୍କର ସାହୁ, ସୋମନାଥ ପାତ୍ର, ଶ୍ୱେତପଦ୍ମା ଶୁକ୍ଳ, ମୁସାରତ ଜାହାଁ ଓ ଯାଜ୍ଞସେନି ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା, ସମ୍ମାନିତ ଅତିଥି ଭାବେ ପରିଚାଳନା ସମିତିର ସଭାପତି ଜିତେନ୍ଦ୍ର କୁମାର ପଣ୍ଡା, ପୁରାତନ ଛାତ୍ର ସଂସଦର ସଭାପତି ଗୋପାଳ ଚନ୍ଦ୍ର ସାହୁ ଓ ବ୍ୟଙ୍ଗ କବି ବିଜୟ ଶ୍ରୀ ଗୋକୁଳାନନ୍ଦ ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ । ବର୍ତ୍ତମାନର ଛାତ୍ରଛାତ୍ରୀ ଭବିଷ୍ୟତର ନାଗରିକ; ତେଣୁ ସେମାନଙ୍କୁ ସଠିକ୍ ମାର୍ଗଦର୍ଶନ କରିବା ଉଭୟ ପିତାମାତା, ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ଉତ୍ତର ଦାୟିତ୍ଵ ବୋଲି ଏହି କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି । ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ ଦ୍ଵାରା ସତର ବର୍ଷରୁ କମ ମହିଳା କ୍ରିକେଟ ଦଳରେ ଚୟନ ହୋଇ କ୍ରମାଗତ ଦୁଇ ବର୍ଷଧରି ଓଡ଼ିଶାରୁ ପ୍ରତିନିଧିତ୍ଵ କରିଆସୁଥିବା ତଥା ବିଭିନ୍ନ ରାଜ୍ୟରେ କ୍ରିକେଟ ଖେଳୁଥିବା ଛାତ୍ରୀ ରୋମି ପ୍ରଲିପ୍ତା ମଲ୍ଲିକଙ୍କୁ ଫକୀର ମୋହନ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଉତ୍ତରୀୟ ଓ ପୁଷ୍ପ ଚାରା ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । କ୍ରୀଡା ଶିକ୍ଷକ ଶୁଭମ୍ ଜେନା, ସସ୍ମିତା ମହାନ୍ତି, ଶାନ୍ତି ମାଝୀ ଓ ସଞ୍ଜୟ କୁମାର ପୋଥାଳ ପ୍ରମୁଖ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଭିନ୍ନ ସାହିତ୍ୟିକ, କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପ୍ରଶଂସାପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସଚେତନତାମୂଳକ ନାଟକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଶେଷରେ ଶିକ୍ଷୟିତ୍ରୀ ରେବତୀ ସେଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ବାଲେଶ୍ବର ଜିଲ୍ଲା ବସ୍ତାରୁ ସେଖ ଆଜାରୁଦ୍ଦିନ ଙ୍କ ରିପୋର୍ଟ
