ସୋରରେ ୪୫୦ ଲିଟର ଜିଞ୍ଜର ଜବତ, ୫ ଫେରାର
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର)::: ସୋର ବ୍ଲକ ଷୋଳଗାଁ ଦୟାନିଧିପୁର ଠାରେ ଜିଲ୍ଲା ଅବକାରୀ ମୋବାଇଲ ଟିମ ଓ ସୋର ପୋଲିସ ସହଯୋଗରେ ଏକ ବଡ଼ ଧରଣର ବିପୁଳ ପରିମାଣର ଜିଞ୍ଜର ଜବତ ହୋଇଛି। ସୂଚନା ଅନୁସାରେ ବାଲେଶ୍ଵର ଅବକାରୀ ବିଭାଗର ମୋବାଇଲ ଟିମ ଓ ସୋର ପୋଲିସ ତରଫରୁ ଆଜି ଭୋର୍ ସମୟରେ ସୋର ବ୍ଲକ ତେଣ୍ଟେଇ ପଞ୍ଚାୟତ ଷୋଳଗାଁ, ଦୟାନିଧିପୁରଠାରେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଅତର୍କିତ ଭାବେ ଚଢ଼ାଉ କରିଥିଲେ। ଘଟଣାସ୍ଥଳରୁ ଅଭିଯୁକ୍ତ ସନାତନ ନାୟକ, କାହ୍ନୁଚରଣ ନାୟକ, ହେମନ୍ତ ନାୟକ, ସଂଙ୍କରର୍ଷଣ ବେହେରା, ସଞ୍ଜିତ୍ ନାୟକ ପ୍ରମୁଖ ୫ ଜଣ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ୧୦୦୦ ବୋତଲ (୪୫୦ଲିଟର ) ଜିଞ୍ଜର ଜବତ ହୋଇଥିଲା। ଯାହାର ବଜାର ମୂଲ୍ୟ ଆନୁମାନିକ ୨.୫ଲକ୍ଷ ଟଙ୍କା ରୁ ୩ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଅବକାରୀ ବିଭାଗ ତରଫରୁ ୪୪୦/୨୦୨୫-୨୬ ମୂଳେ ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଛି।ବାଲେଶ୍ଵର ଅବକାରୀ ବିଭାଗ ଏସପି ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶରେ ଏହି ଚଢ଼ାଉରେ ଅବକାରୀ ବିଭାଗର ଡେପୁଟି ଏସପି ସ୍ବପ୍ନାରାଣୀ ସାହୁଙ୍କ ନେତୃତ୍ୱରେ ଇନ୍ସପେକ୍ଟର ହରିହର ସିଂ, ଏଏସଆଇ ଭବେଶ ଦାସ, ଲମ୍ବୋଦର ମହାନ୍ତ, କନେଷ୍ଟେବଳ ସୁନାରାମ ସୋରେନ, ନିହାନ ମୁର୍ମୁଙ୍କ ସହ ସୋର ପୁଲିସ ଚଢ଼ାଉରେ ସାମିଲ ହୋଇଥିଲେ।
