ଜେ, ଡି, ଇନଷ୍ଟିଚ୍ୟୁଟର ବାର୍ଷିକ ଉତ୍ସବ ସୋର (ଭଞ୍ଜଦୂତ, ନିପ୍ର, ଜ୍ୟୋତିପ୍ରକାଶ)::: ବାଲେଶ୍ଵର ଜିଲ୍ଲା ସୋର କଲେଜ ଛକ ନିକଟସ୍ଥ ଜେ. ଡି. ଇନଷ୍ଟିଚ୍ୟୁଟରେ ବାର୍ଷିକ ଉତ୍ସବ ଓ ବିଦାୟ ସଭା ଆୟୋଜିତ ହୋଇଯାଇଛି । ଏଥିରେ ମୂଖ୍ୟ ଅତିଥି ଭାବରେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଆଦର୍ଶ ଶିକ୍ଷକ ବିନୋଦ ବିହାରୀ ପଣ୍ଡା, ମୂଖ୍ୟ ବକ୍ତା ଭାବେ ଅରୁଣ କୁମାର ବାରିକ ଓ ସମ୍ମାନିତ ଅତିଥି ଭାବେ ବାଲେଶ୍ଵର ପୌରପାଳିକାର ଅଧ୍ୟକ୍ଷ ସବିତା ସାହୁ, ବିଶିଷ୍ଟ ସମାଜସେବୀ ଭାଗବତ ସାହୁ ଯୋଗଦେଇ ପିଲାମାନଙ୍କୁ ବିଭିନ୍ନ ଶିକ୍ଷଣୀୟ ଉଦାହରଣ ଦେଇ ଆଦର୍ଶ ମଣିଷ ହେବା ସହିତ ଏଭଳି ଉତ୍ତମ ମାନର ଶିକ୍ଷାଦାନ କରାଯାଉଥିବା ଅନୁଷ୍ଠାନରେ ଶିକ୍ଷା ଗ୍ରହଣ କରିବାର ସୁଯୋଗ ପାଇଥିବାରୁ ଏହାର ସଦୁପଯୋଗ କରି ବଡ଼ ମଣିଷ ହେବାକୁ ଉପଦେଶ ଦେଇଥିଲେ। ଶେଷରେ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଏହା ସହିତ ଭାରତ ସରକାରଙ୍କ ନୀତି ଆୟୋଗ ତରଫରୁ ଆୟୋଜିତ ଜାତୀୟସ୍ତରୀୟ ପ୍ରକଳ୍ପ ଉପସ୍ଥାପନ କାର୍ଯ୍ୟକ୍ରମରେ ଏହି ଅନୁଷ୍ଠାନର ଯେଉଁ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବାର ସୁଯୋଗ ପାଇ ଏଠିକାର ଶିକ୍ଷକମାନଙ୍କ ତତ୍ତ୍ଵାବଧାନରେ ସମ୍ମାନଜନକ ସାର୍ଟିଫିକେଟ୍ ହାସଲ କରିଛନ୍ତି, ସେମାନଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଏହି ସଭାରେ ଶ୍ରୀନିବାସ ସିଂହ ସଭାପତିତ୍ବ କରିଥିବା ବେଳେ ଏହି ଅନୁଷ୍ଠାନର ଅଧ୍ୟକ୍ଷ ଜିତେନ୍ଦ୍ର ଦାସ ଓ ନିର୍ଦ୍ଦେଶକ ମଧୁସ୍ମିତା ସିଂହ ମଞ୍ଚାସୀନ ସହିତ ତାଙ୍କ ବକ୍ତବ୍ୟ ରଖିଥିଲେ। ଶେଷରେ ଉକ୍ତ ପିଲାମାନଙ୍କ ଦ୍ବାରା ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।
