ଜିନ୍ଦଲ ଫାଉଣ୍ଡେସନ ପ୍ରୟାସରେ ଛତୁ ଚାଷ କରି ସଫଳ ହେଲେ ମହିଳା।
ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ ଅନ୍ତର୍ଗତ ଡେଙ୍ଗୁଳା ପଞ୍ଚାୟତର ବନ୍ଦଲ ଗ୍ରାମରେ ଜିନ୍ଦଲ ଫାଉଣ୍ଡେସନର ସହଯୋଗରେ ଗ୍ରାମାଞ୍ଚଳର ମହିଳାମାନେ ଆଜି ସଫଳ ହୋଇଛନ୍ତି। ଏହି ପଦକ୍ଷେପ ଦ୍ୱାରା ମହିଳାମାନଙ୍କ ଜୀବନରେ ଆସିଛି ଏକ ନୂଆ ପରିବର୍ତ୍ତନ।
ଗତ କିଛି ବର୍ଷ ଧରି ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ କୋଇଡ଼ା ବ୍ଲକର ବିଭିନ୍ନ ଗ୍ରାମରେ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ମହିଳାମାନଙ୍କୁ ଆର୍ଥିକ ଭାବେ ସବଳ କରିବା ଉଦ୍ଦେଶ୍ୟରେ ନାନା ପ୍ରକାର ସହାୟତା ଯୋଗାଇ ଆସୁଛି। ପ୍ରଥମ ପର୍ଯ୍ୟାୟରେ ମହିଳାମାନଙ୍କୁ ମୁଢ଼ି କଳ, ଖୋଲି ମେସିନ ସହିତ ବିଭିନ୍ନ ଯାନ୍ତ୍ରିକ ସାଧନ ଯୋଗାଇ ଦିଆଯାଇଥିଲା, ଯାହା ମାଧ୍ୟମରେ ସେମାନେ ଛୋଟ ଛୋଟ ବ୍ୟବସାୟ ଆରମ୍ଭ କରି ଆୟ କରୁଥିଲେ।
ଏହା ପରେ ମହିଳାମାନଙ୍କୁ ଆହୁରି ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଛତୁ ଚାଷକୁ ଗୁରୁତ୍ୱ ଦିଆଯାଇଛି। ବନ୍ଦଲ ଗ୍ରାମର ମହିଳାମାନଙ୍କୁ ଛତୁ ଚାଷ ପାଇଁ ଛତୁ ମଞ୍ଜି, ପଲିଥିନ୍, ଡ୍ରମ୍ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ମାଗଣାରେ ଯୋଗାଇ ଦିଆଯାଇଥିଲା। ସେଥିସହ ଛତୁ ଚାଷ କିପରି କରାଯିବ, କିପରି ସୁରକ୍ଷିତ ଭାବେ ଉତ୍ପାଦନ ବଢ଼ାଯିବ ଏବଂ ବଜାରକରଣ କିପରି କରିଲେ ଭଲ ଆୟ ମିଳିପାରିବ—ଏ ସବୁ ବିଷୟରେ ପ୍ରଶିକ୍ଷଣ (ଟ୍ରେନିଂ) ମଧ୍ୟ ଦିଆଯାଇଥିଲା।
ଟ୍ରେନିଂ ପରେ ମହିଳାମାନେ ନିଜ ଘରେ ନିଜେ ଛତୁ ଚାଷ ଆରମ୍ଭ କରିଛନ୍ତି। ଅଳ୍ପ ସମୟ ମଧ୍ୟରେ ଛତୁ ଉତ୍ପାଦନ ହେବାରୁ ସେମାନେ ଏହାକୁ ବଜାରରେ ବିକ୍ରି କରି କିଛି ଭଲ ଆୟ ମଧ୍ୟ କରୁଛନ୍ତି। ଏହି ଆୟ ମାଧ୍ୟମରେ ସେମାନେ ନିଜ ପରିବାରର ଖର୍ଚ୍ଚ ଚଲାଇବା ସହ ପିଲାମାନଙ୍କ ପଢ଼ାଶୁଣା ଓ ଦୈନନ୍ଦିନ ଆବଶ୍ୟକତା ପୂରଣ କରିପାରୁଛନ୍ତି।
ଗ୍ରାମର ମହିଳାମାନେ କହିଛନ୍ତି ଯେ, ଜିନ୍ଦଲ ଫାଉଣ୍ଡେସନର ସହଯୋଗ ନଦେଇଥାନ୍ତା ହେଲେ ଏପରି ଚାଷ କରିବା ସମ୍ଭବ ହେଇପାରିନଥାନ୍ତା। ଏହି ପ୍ରକଳ୍ପ ମାଧ୍ୟମରେ ସେମାନେ କେବଳ ଆର୍ଥିକ ଭାବେ ନୁହେଁ, ମାନସିକ ଭାବେ ମଧ୍ୟ ସଫଳ ହୋଇଛନ୍ତି।
ଜିନ୍ଦଲ ଫାଉଣ୍ଡେସନର ଏହି ପଦକ୍ଷେପ ଗ୍ରାମାଞ୍ଚଳର ମହିଳା ସଶକ୍ତିକରଣ ପାଇଁ ଏକ ଉଦାହରଣ ହୋଇଛି। ଏପରି ପ୍ରୟାସ ଆଗାମୀ ଦିନରେ ଆହୁରି ଗ୍ରାମରେ କାର୍ଯ୍ୟକାରୀ ହେଲେ ଅନେକ ପରିବାର ସଫଳ ହେବେ ବୋଲି ସାଧାରଣ ଲୋକେ ଆଶା ପ୍ରକାଶ କରିଛନ୍ତି।
