ହରଭଙ୍ଗା, ୨୭/୦୧(କୃଷ୍ଣଚନ୍ଦ୍ର ସିଂହ): ହରଭଙ୍ଗା ପଞ୍ଚାୟତ ସମିତି ଅନ୍ତର୍ଗତ କୁଶଙ୍ଗ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଶିବିରରେ ସମୁଦାୟ ୫୩ଟି ଅଭିଯୋଗ ପଞ୍ଜିକୃତ ହୋଇଥିବାବେଳେ ସେଥିମଧ୍ୟରୁ ୫୦ଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୦୩ଟି ସାମୁହିକ ସମସ୍ୟା ସମ୍ପର୍କିତ ଅଭିଯୋଗ ରହିଥିଲା l ସେଥିମଧ୍ୟରୁ ୧୫ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା l ଜିଲ୍ଲାପାଳ ବିଭୁତି ଭୂଷଣ ନାୟକଙ୍କ ଦ୍ୱାରା ୧ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ହ୍ଵିଲ ଚେୟାର ଏବଂ ୧ ଜଣଙ୍କୁ ରେଡ କ୍ରସ ପାଣ୍ଠିରୁ ୫,୦୦୦/- ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା l ସମସ୍ତ ଅଧିକାରୀମାନେ ନିଜର ବ୍ୟବହାର ଓ ଲୋକମାନଙ୍କ ପ୍ରତି ରହିଥିବା ମାନସିକତାରେ ପରିବର୍ତ୍ତନ ଆଣି ସାଧାରଣ ଲୋକଙ୍କ ନିକଟରେ ପହଞ୍ଚି ଉଚିତ ନ୍ୟାୟ ପ୍ରଦାନ ଓ ଉତ୍ତମ ସେବା ପ୍ରଦାନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ l ବିଶେଷ ଭାବରେ ଧାନମଣ୍ଡିରେ ସରକାରଙ୍କ ନିର୍ଦ୍ଦେଶାବଳୀ ମୁତାବକ ଚାଷୀମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ l ଉକ୍ତ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିରରେ ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ହରଭଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ପ୍ରଧାନଙ୍କ ସମେତ ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ l ଜଣାଶୁଣାଣୀ ପୂର୍ବରୁ ଜିଲ୍ଲାପାଳ ଭୋକର ଭୂଗୋଳ ତଥା କରଞ୍ଜକଟା ପଞ୍ଚାୟତର ତୁକୁଲୁଣ୍ଡା କୋହ୍ଲ ସାହିରେ ପହଞ୍ଚି ସେଠାକାର ଅଧିବାସୀମାନଙ୍କ ସମସ୍ତ ଅଭାବ ଅସୁବିଧାର ସମାଧାନ ପାଇଁ ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ l
