ତା-୧୫/୧/୨୬
ଦଶରଥପୁର
ଭଞ୍ଜଦୂତ(ନି.ପ୍ର)
ରିପୋର୍ଟର-ମାନସ କୁମାର ସାହୁ
ଆଧୁନିକ ଯୁଗରେ ଅଲୋଡ଼ା ହୋଇଛି କୁଟୀର ଶିଳ୍ପ
ବିଜ୍ଞାନର ଅଗ୍ରଗତି ପରେ ବର୍ଷ ବର୍ଷ ଧରି ମଣିଷ ସହିତ ଅଙ୍ଗାଅଙ୍ଗେ ଭାବେ ଜଡିତ ଥିବା କୁଟୀର ଶିଳ୍ପ ଆଜି ଅଲୋଡ଼ା ହୋଇପଡ଼ିଛି. ଅତୀତରେ ଚଷା ଧାନ ଅମଳ ପରେ ଧାନକୁ ଢିଙ୍କି ଦ୍ୱାରା କୁଟି ଚାଉଳ କରୁଥିଲା. ହେଲେ ଅlଜି ଗାଁ ଗହଳିରେ ଢିଙ୍କି ଦ୍ୱାରା ଧାନ କୁଟିବା ଶବ୍ଦ ଆଉ ଶୁଭୁ ନାହିଁ. ବିଭିନ୍ନ ପ୍ରକାରର ଯନ୍ତ୍ର ର ବ୍ୟବହାର ଯୋଗୁ ଲୋକଙ୍କ ଘରେ ନାଁ ଅଛି ଢିଙ୍କି ନାଁ ଅଛି ଢିଙ୍କିଶାଳ.ପୂର୍ବରୁ ବିଭିନ୍ନ ପ୍ରକାରର ଡ଼ାଲି ମୁଗ, ବିରି, କୋଳଥ,କାନ୍ଦୁଲ ଡ଼ାଲି ବାହାର କରିବା ପାଇଁ ପଥର ନିର୍ମିତ ଫେଶା ବ୍ୟବହାର ହେଉଥିଲା. ବର୍ତ୍ତମାନ ପଥର ଫେଶାର ସ୍ଥାନ ବିଦ୍ୟୁତ୍ ଚାଳିତ ଗ୍ରାଇଣ୍ଡର ନେଇଛି. ସେହିପରି ଦାଆ ଦ୍ୱାରା ଧାନ କାଟିବା ଓ ଖଳାରେ ବଳଦ ଦ୍ଵାରା ଧାନ ମଳିବା ଦୃଶ୍ୟ ସ୍ବପ୍ନ ପାଲଟିଗଲାଣି. କଳ ଲଙ୍ଗଳ ଯନ୍ତ୍ରଦ୍ଵାରା ଏ ସମସ୍ତ କାର୍ଯ୍ୟ କରାଯାଉଛି. ବିଲରେ ଆଉ ଜନ୍ତ କିମ୍ବା ତେଣ୍ଡା ଦ୍ୱାରା ପାଣି ମଡ଼ା କାର୍ଯ୍ୟ ଆଉ ଦେଖିବାକୁ ମିଳୁନି. ପୂର୍ବରୁ ଲୁହାରେ ନିର୍ମିତ ବିଭିନ୍ନ ପ୍ରକାରର ଚାଷ ଉପକରଣ ସହ ସାଧାରଣ ଲୋକଙ୍କ ନିତ୍ୟ ବ୍ୟବହାର୍ଯ୍ୟ ପନିକି, ଛୁରୀ, କତା ପରି ଅନ୍ୟାନ୍ୟ ହାତହତିଆର ପାଇଁ କମାରଶାଳର ଚାହିଦା ଅଧିକ ଥିଲା. ଏବେ କମାର ସଂପ୍ରଦାୟ କମାରଶାଳ କୁ ବନ୍ଦ କରି ଅନ୍ୟ ବାଟରେ ରୋଜଗାର କରିବାକୁ ବାଧ୍ୟ ହେଉଛନ୍ତି. ମାଟି ତିଆରି ସାମଗ୍ରୀ ବଦଳରେ ଷ୍ଟିଲ୍ ଆଉ ପ୍ଲାଷ୍ଟିକ ସାମଗ୍ରୀର ବହୁଳ ବ୍ୟବହାର କୁମ୍ଭାର ସଂପ୍ରଦାୟର ଲୋକଙ୍କୁ ହାତ ବାନ୍ଧି ବସିବା ପାଇଁ ବାଧ୍ୟ କରିଛି. ଆଜିର ମାନବ ସମାଜ ଏଭଳି ସମୟ ଦେଇ ଗତି କରୁଛି ଯେ ଶାରିରୀକ ପରିଶ୍ରମ କରିବା ପାଇଁ ପ୍ରସ୍ତୁତ ନୁହେଁ. ପୂର୍ବରୁ ମଣିଷ ନିଜ ହାତରେ ସବୁ କାମ କରି ଖୁସୀ ହେଉଥିଲା. ଆଜି ଯନ୍ତ୍ର ଉପରେ ନିର୍ଭର କରି କଳା କୌଶଳ ହରେଇ ବସିବା ଦ୍ୱାରା ଧିରେ ଧିରେ କୁଟୀରଶିଳ୍ପ ଗୁଡ଼ିକ ଅଲୋଡ଼ା ହୋଇଗଲାଣି.
