୨୪ ଘଣ୍ଟା ମଧ୍ୟରେ ପୁଣି ଏକ ଟ୍ରକ୍ ଧକ୍କାରେ କ୍ଷୀର ବ୍ୟବସାୟୀଙ୍କ ମୃତ।
ରେଢ଼ାଖୋଲ (ଭଂଜଦୂତ): ସମ୍ବଲପୁର – କଟକ ୫୫ ନଂ ଜାତୀୟ ରାଜପଥ ଭୀମଭୋଇ ଛକ ନିକଟରେ ଗୁରୁବାର ଦିନ ୨୪ ଘଣ୍ଟା ମଧ୍ୟରେ ପୁଣି ଏକ ଟ୍ରକ ଦୁର୍ଘଟଣା ରେ ଜଣେ ନିରୀହ କ୍ଷୀର ବ୍ୟବସାୟୀ ଙ୍କ ମୃତ୍ୟୁ ହୋଇଯାଇଛି। ମୃତକ ଜଣଙ୍କ ହେଲେ ରେଢ଼ାଖୋଲ ଡ଼ିମିରିକୁଦା ଗ୍ରାମର ବାସିନ୍ଦା ସୁବାଷ ଖିଲାରି(୫୮)। ବାରମ୍ବାର ସହର ମଧ୍ୟରେ ସଡ଼କ ଦୁର୍ଘଟନା ଘଟୁ ଥିବାରୁ ସ୍ଥାନୀୟ ଜନ ସାଧାରଣ ଭୟଭୀତ ଅବସ୍ଥାରେ ରହିଛନ୍ତି। ରେଢ଼ାଖୋଲ ପଦୂର୍ଷଣ ମୁକ୍ତ ଏବଂ ଦୁର୍ଘଟଣାରୁ ତ୍ରାହି ପାଇବାକୁ ହେଲେ ଏକମାତ୍ର ବିକଳ୍ପ ବାଇପାସ୍ ବୋଲି ସାଧାରଣ ଲୋକେ ଦାବୀ କରିଥିଲେ। ସୂଚନା ଯୋଗ୍ୟ ଯେ ଡ଼ିମିରିକୁଦା ଗ୍ରାମର କ୍ଷୀର ବ୍ୟବସାୟୀ ସୁବାଷ ଖିଲାରୀ ନିତିଦିନ ପରି ଏକ ସାଇକେଲ ଜରିଆରେ କ୍ଷୀର ବ୍ୟବସାୟୀ କରି କଇଥସାହି ପଟରୁ ଭୀମଭୋଇ ଛକ ଆଡକୁ ଆସୁଥିଲେ। ଏହି ସମୟରେ ଭୀମଭୋଇଙ୍କ ପ୍ରତିମୂର୍ତ୍ତି ନିକଟରେ ଏକ ଲୋଡ଼ିଙ୍ଗ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା। ଯା ଫଳରେ ତାଙ୍କ ଦୁଇ ଗୋଡ଼ରେ ଗାଡି ଚକ ମାଡ଼ି ଯିବାରୁ ଗଭୀର ଆଘାତ ହୋଇ ଗୁରୁତର ହୋଇ ପଡିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ l ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ଏଥିରେ ଭୀମଭୋଇ ଛକ ଠାରେ ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇ ୫୫ ନଂ ଜାତୀୟ ରାଜପଥ ଓ ରାଞ୍ଚି ବିଜୟୱାଡା ରାଜପଥକୁ ଅବରୋଧ କରି ଆନ୍ଦୋଳନ କରିଥିଲେ। ରେଢ଼ାଖୋଲ ଉପଜିଲ୍ଲାପାଳ ରଶ୍ମି ରଞ୍ଜନ ମହନ୍ତ, ଏସଡିପିଓ ପ୍ରଶାନ୍ତ କୁମାର ମେହେର, ଥାନା ଅଧିକାରୀ ଚନ୍ଦ୍ର ମୋହନ ସିଂ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ ଏକ ବୈଠକ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପ୍ରଥମେ ଜାତୀୟ ରାଜପଥ ଉପରକୁ ମାଡ଼ିଥିବା କିଛି ଦୋକାନୀ ଙ୍କୁ ଭିତରକୁ ରହିବ, ସ୍ପିଡ୍ ବ୍ରେକର ବ୍ୟବସ୍ଥା କରାଯିବ ଏବଂ ଟ୍ରାଫିକ ସମସ୍ୟା ଦୂର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେପଟେ ରେଢ଼ାଖୋଲ ପୋଲିସ ଏକ ମାମଲା ରୁଜୁ କରି ଗାଡ଼ି ଜବତ କରି ଡ୍ରାଇଭର ଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।
