*ହ୍ୟୁମାନ ସାଗର ଆରପାରିରେ*
ନୂଆପଡା(ମିଖାଏଲ ନନ୍ଦ)
ହ୍ୟୁମାନ ସାଗର ଙ୍କ ଜନ୍ମ ଭୂମି ଟିଟିଲାଗଡ଼ ସେ ପିଲାଦିନରୁ ଗୀତ ଗାଇବା ପାଇଁ ଭଲ ପାଉଥିଲେ। ପାଠ ପଢା ସରିଲା ପରେ ଗୀତ ଗାଇ ସେ ସୁନାମ ଅର୍ଜନ କରି ଥିଲେ।ଓଡ଼ିଶା ସଂଗୀତ ଜଗତର ଲୋକପ୍ରିୟ ଗାୟକ ହ୍ୟୁମାନ୍ ସାଗରଙ୍କ ଶେଷକୃତ ସମ୍ପନ୍ନ ହୋଇଛି।ଗତ କାଲି ସନ୍ଧ୍ୟାରେ ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକର ତାଙ୍କ ପୈତୃକ ଗାଁ ଡେଙ୍ଗାରେ ହ୍ୟୁମାନ ସାଗରଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଛି। ଏକ ଚର୍ଚ୍ଚରେ ପାରମ୍ପରିକ ରୀତିନୀତିରେ ଅନୁଷ୍ଠିତ ଶେଷକୃତ୍ୟ କାର୍ଯ୍ୟକ୍ରମରେ ଲକ୍ଷାଧିକ ପ୍ରଶଂସକ ଓ ଶୁଭେଚ୍ଛୁ ସାମିଲ ହୋଇ ମରଶରୀରକୁ ଅଶ୍ରୁଳ ବିଦାୟ ଦେଇଥିଲେ।
ମଙ୍ଗଳବାର ଦିନ ୧୦ଟାରେ ତାଙ୍କ ପାର୍ଥିବ ଶରୀର ବଲାଙ୍ଗୀରରେ ପହଞ୍ଚିଥିଲା। ଏହା ପରେ ଟିଟିଲାଗଡ଼ରେ ଏକ ବିଶାଳ ଶୋଭାଯାତ୍ରାରେ ହ୍ୟୁମାନଙ୍କ ମରଶରୀରକୁ ପରିକ୍ରମା କରାଯାଇଥିଲା। ଶେଷ ଦର୍ଶନ ପାଇଁ ତାଙ୍କ ମରଶରୀର ଟିଟିଲାଗଡ଼ରେ ପହଞ୍ଚିଲା ପରେ ହ୍ୟୁମାନଙ୍କ ଘରେ ଓ ଘର ବାହାରେ ପ୍ରବଳ ଭିଡ଼ ଲାଗିଥିଲା। ଶେଷ ଶ୍ରଦ୍ଧାଞ୍ଜଳି ଦେଇଥିଲେ ହଜାର ହଜାର ହ୍ୟୁମାନ ପ୍ରେମୀ। ହ୍ୟୁମାନ ଅମର ରହେ ସ୍ଳୋଗାନରେ କମ୍ପି ଉଠିଥିଲା ସାରା ଟିଟିଲାଗଡ଼ ସହର।
୨୦୧୨ରେ ସଙ୍ଗୀତ ଜଗତରେ ପାଦ ଥାପିଥିବା ହ୍ୟୁମାନ ତରଙ୍ଗ ଟିଭିରେ ପ୍ରସାରିତ ରିୟଲିଟି ମୋ ଭଏସ୍ ଅଫ୍ ଓଡ଼ିଶା ସିଜିନ ୨ର ବିଜେତା ଥିଲେ। ଏହା ପରେ ତାଙ୍କର ୨୦୧୫ରେ କ୍ୟାରିୟର ଗଢ଼ିବା ଆରମ୍ଭ ହୋଇଥିଲା। ତରଙ୍ଗ ସିନେ ପ୍ରଡକ୍ସନର ଚଳଚ୍ଚିତ୍ର ‘ଇସ୍କ ତୁ ହି ତୁ’ରେ ଗୀତ ଗାଇବାର ସୁଯୋଗ ପାଇଥିଲେ ହ୍ୟୁମାନ। ଏହା ପରେ ଦେଇ ଚାଲିଥିଲେ ଗୋଟେ ପରେ ଗୋଟେ ହିଟ୍ ଗୀତ। ଶ୍ରୋତାଙ୍କ ମନରେ ଏପରି ବାନ୍ଧି ହୋଇ ଯାଇଥିଲେ ଯେ, ସମସ୍ତଙ୍କ ମୁହଁରେ ଥିଲା ଗୋଟିଏ ନାଁ ହ୍ୟୁମାନ ସାଗର। ଫିଲ୍ମ ହେଉ କି ଆଲବମ୍… ଷ୍ଟେଜ ପ୍ରୋଗ୍ରାମରେ ବି ପ୍ରଥମେ ଖୋଜା ପଡ଼ନ୍ତି ହ୍ୟୁମାନ। ସେ ୧୦ ବର୍ଷର କ୍ୟାରିୟରରେ ୧୫ ହଜାରରୁ ଉର୍ଦ୍ଧ୍ବ ଗୀତ ଗାଇଛନ୍ତି। ଯାହା ଆଜି ବି ଶ୍ରୋତାଙ୍କ ହୃଦୟରେ ଅମର ରହିବେ।
