ଦେଶର ବିଭିନ୍ନ ବିଦ୍ୟାଳୟର ପିଲାମାନଙ୍କୁ ଗଣବେଶ(ବିଦ୍ୟାଳୟ ପୋଷାକ) ଭାବେ ପ୍ୟାଣ୍ଟ, ସାର୍ଟ, ବେଲ୍ଟ ସହିତ ଟାଇ ବାଧ୍ୟତାମୂଳକ କରାଯାଇଥାଏ | ପିଲା କାଳେ ସ୍ମାର୍ଟ ଲାଗିବେ ! ହେଲେ ବିଶ୍ବର ସର୍ବାଧିକ ପିଲା ପଢୁ ଥିବା ବେସରକାରୀ ବିଦ୍ୟାଳୟ ସରସ୍ବତୀ ଶିଶୁ ମନ୍ଦିର ପିଲାମାନେ ଟାଇ ପିନ୍ଧନ୍ତିନାହିଁ କାହିଁକି? ଏ ପ୍ରଶ୍ନ ଅନେକ ଅଭିଭାବକମାନଙ୍କ ମନରେ ଆସୁଥିବ ନିଶ୍ଚୟ | ଶିଶୁ ମନ୍ଦିରର ବ୍ୟବସ୍ଥା ଖୁବ ପୁରୁଣାକାଳିଆ ବୋଲି ବି ଅନେକ ଅଭିଭାବକ କହିଥାନ୍ତି | ଖାସ ଏହିଥି ପାଇଁ ଅନେକ ଧନୀ ଅଭିଭାବକ ନିଜ ପିଲାଙ୍କୁ ଶିଶୁ ମନ୍ଦିରରେ ପଢାଇବାକୁ ଅମଙ୍ଗ ହୁଅନ୍ତି | ସେମାନଙ୍କର ଆହୁରି ଅଭିଯୋଗ ଯେ ଶିଶୁ ମନ୍ଦିର ଓଡିଆ ମାଧ୍ୟମ | ଆଜିକାଲିକା ଯୁଗରେ ଓଡିଆ ପଢ଼ି ପିଲା କଣ ଆଗକୁ ବଢ଼ି ପାରିବ | ସତରେ କଣ ଶିଶୁ ମନ୍ଦିର ବ୍ୟବସ୍ଥା ପୁରୁଣାକାଳିଆ | ଆମ ପିଲା ଶିଶୁ ମନ୍ଦିରରେ ପଢିଲେ ତେବେ ପଛରେ ରହିଯିବେ କି ? ଅଭିଯୋଗ ଓ ବାସ୍ତବତା ମଧ୍ୟରେ ଆକାଶ ପାତାଳ ଫରକ ରହିଛି | ଟାଇ ପିନ୍ଧିବା କାହାକୁ ଜରୁରୀ? ବିଦେଶରେ ଥଣ୍ଡାର ପ୍ରଭାବ ଅଧିକ ରହୁଥିବାରୁ ସେଠାରେ ଟାଇ ପିନ୍ଧିବା ଜରୁରି | ପବନ ନପଶିବା ପାଇଁ ଟାଇ ବନ୍ଧାଯାଏ | ସେମାନେ ସ୍ମାର୍ଟ ଦେଖାଯିବା ପାଇଁ ଟାଇ ପିନ୍ଧିନଥାନ୍ତି | ହେଲେ ଭାରତରେ ଏହାର ଆବଶ୍ୟକତା କଣ? ଗରମରେ ଏଦେଶର ପିଲାମାନେ ଛଟପଟ ହୁଅନ୍ତି | ଶ୍ରେଣୀରେ ପଢିବା ବେଳେ ଟାଇ କଣ ଏମିତିକି ଅନେକ ପିଲା ନିଜ ସାର୍ଟର ବୋତାମ ମଧ୍ୟ ଖୋଲି ଦିଅନ୍ତି | କେହିକେହି ପିଲା ବିଦ୍ୟାଳୟରେ ହିଁ ସାର୍ଟ ଖୋଲି ବସ୍ତାନୀରେ ପୁରାଇ ଦିଅନ୍ତି | ଟାଇ ଭାରତୀୟ ପିଲାମାନଙ୍କୁ କେବଳ ଅଣନିଶ୍ବାସୀ କରିଥାଏ | ତେଣୁ ଏହାର ବ୍ୟବହାର ଅନାବଶ୍ୟକ | ଏଥି ସହିତ ଇଂରାଜୀ ମଧ୍ୟ ଜରୁରି ନୁହେଁ | ଇଂଲଣ୍ତ, ସ୍କଟଲ୍ୟାଣ୍ଡ, ଆୟର୍ଲ୍ୟାଣ୍ଡ ଓ ଓ୍ବେଲ୍ସ ମିଶି ୟନାଇଟେଡ କିଙ୍ଗଡମ ଗଠିତ | ହେଲେ ଇଂଲଣ୍ଡକୁ ଛାଡିଦେଲେ ଅନ୍ୟ ୩ ରାଜ୍ୟରେ ଇଂରାଜୀର ଆଦର ନାହିଁ | ବାସ୍ତବରେ ପିଲାର ମାନସିକ ବିକାଶ କେବଳ ମାତୃଭାଷାରେ ହିଁ ସମ୍ଭବ | ଏଥିପାଇଁ ଜାତୀୟ ଶିକ୍ଷାନୀତୀ – ୨୦୨୦ରେ ମାତୃଭାଷାକୁ ଗୁରୁତ୍ବ ଦିଆଯାଇଛି | ପିଲା ଶୋଇଲାବେଳେ ଯେଉଁ ଭାଷାରେ ସ୍ବପ୍ନ ଦେଖିଥାଏ ତାହା ହିଁ ତାର ମାତୃଭାଷା ବୋଲି ସ୍ବୀକାର କରିବାକୁ ପଡିବ | ସେହି ଭାଷାରେ ହିଁ ତାର ମାନସିକ ବିକାଶ ସମ୍ଭବ | ପିଲାର ମୌଳିକ ଚିନ୍ତନ କେବଳ ମାତୃଭାଷାରେ ହିଁ ସମ୍ଭବ ହୋଇଥାଏ | ଇଂରାଜୀର ଗୁଲାମୀ ମାନସିକତା ଆପଣଙ୍କ ପିଲାର ମାନସିକ ବିକାଶର ଧାରାକୁ ମନ୍ଥର କରିଦେବ | ତେଣୁ ଶିଶୁ ମନ୍ଦିର ବ୍ୟବସ୍ଥା ଆଦୌ ପୁରୁଣାକାଳିଆ ନୁହେଁ | ଏହା ଭାରତୀୟ ଶିକ୍ଷା ବ୍ୟବସ୍ଥାର ପ୍ରାଣକେନ୍ଦ୍ର |
ଗୋବିନ୍ଦ ଚନ୍ଦ୍ର ମହାନ୍ତ, ପୂ. ସଂପାଦକ – ବନ ସନ୍ଦେଶ
