ସାଇବର ଅପରାଧ ସୁରକ୍ଷା ସଚେତନତା ଶିବିର
ଡେଲାଙ୍ଗ,(ସ୍ଵ.ପ୍ର):ସାଇବର ଅପରାଧରୁ ସୁରକ୍ଷିତ ରଖିବା ଲକ୍ଷ୍ୟ ନେଇ ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ପୋଲିସ ପକ୍ଷରୁ ଡେଲାଙ୍ଗ ଷ୍ଟେସନ ବଜାର ସନ୍ନିକଟ ରାଧାକାନ୍ତ ଉଚ୍ଚ ବିଦ୍ୟାପୀଠ ପରିସରରେ ସାଇବର ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଡେଲାଙ୍ଗ ଥାନା ନିରୀକ୍ଷକ ଶ୍ୟାମଘନ ବାରିକଙ୍କ ଦ୍ୱାରା ଉଦଘାଟିତ ଶିବିରରେ ବ୍ଲକ ଶିକ୍ଷାଧିକାରୀ ଶତ୍ରୁଘ୍ନ ବେହେରା, ରାଧାକାନ୍ତ ବିଦ୍ୟାପୀଠ ପ୍ରଧାନ ଶିକ୍ଷକ ଅଜୟ କୁମାର ଭୋଇ, ମହତାବ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦେବେନ୍ଦ୍ର କୁମାର ମଲ୍ଲିକ, ଅଭୟମୁଖୀ ସର୍ବପଲ୍ଲୀ ସଂଯୁକ୍ତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଧ୍ରୁବଚରଣ ବରାଳ, ଆଂକୋଇ ଉ ପ୍ରା ବିଦ୍ୟାଳୟ ପ୍ରଧାନ ଶିକ୍ଷକ କଳିଙ୍ଗ କେଶରୀ ମହାପାତ୍ର, ଡେଲାଙ୍ଗ ଥାନା ଉପ ନିରୀକ୍ଷକ ଶୁଭଶ୍ରୀ ନନ୍ଦ, ସାଇବର ସୁରକ୍ଷା ତାଲିମଦାତା ପୋଲିସ କର୍ମଚାରୀ ଶାନ୍ତନୁ କୁମାର ପଣ୍ଡା ପ୍ରମୁଖ ସାଇବର ଅପରାଧୀଙ୍କ ବିଭିନ୍ନ କୌଶଳ, ପୀଡିତ ବ୍ୟକ୍ତି ଓ ପରିବାର କୌଣସି ସଦସ୍ୟ କଠିନ ପରିଶ୍ରମ କରି ଉପାର୍ଜିତ ଧନ ହରାଇ ସର୍ବସ୍ୱାନ୍ତ ହେଉଥିବା ଘଟଣାର ସମ୍ପର୍କରେ ଆଲୋକପାତ କରିଥିଲେ । ସୋସିଆଲ ମିଡ଼ିଆର ଅପବ୍ୟବହାର, ଅନଲାଇନ ସପିଙ୍ଗ, ଅନଲାଇନ ଆର୍ଥିକ କାରବାର, କେୱାଇସି, ପ୍ୟାନକାର୍ଡ , ଆଧାର କାର୍ଡ ସଂଯୋଗ , ବ୍ୟାଙ୍କଋଣ, ଚାକିରୀ ଡିଜିଟାଲ ଆରେଷ୍ଟ, ଜବ ୱାର୍କ, ଘରେ ବସି ଅନଲାଇନରେ ରୋଜଗାର ଆଶା ଦେବା, କ୍ୟାସ ବ୍ୟାକ ବା ଅର୍ଥ ଫେରସ୍ତ ଆଦି ବିଭିନ୍ନ ପ୍ରଲୋଭନ ଦେଖାଇବା ଆଳରେ ସାଇବର ଲୁଟେରାମାନେ ଜନସାଧାରଣଙ୍କୁ ଲୁଟୁଥିବା ବେଳେ ସେଥିରୁ କିପରି ରକ୍ଷା ପାଇବା ସେ ନେଇ ସାଇବର ସୁରକ୍ଷା ସଚେତନ କରାଯାଇଥିଲା । ରାଧାକାନ୍ତ ବିଦ୍ୟାପୀଠର କ୍ରିଡ଼ା ଶିକ୍ଷକ ନଟବର ସେଠି ଅତିଥିଙ୍କୁ ପରିଚୟ ପ୍ରଦାନ କରିଥିବା ବେଳେ ମଞ୍ଚ ସଂଯୋଜନା କରିଥିଲେ ।ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା “ଭିକାରୀ କରିଦେଲେ ସାଇବର ଠକ ” ଶୀର୍ଷକ ପଥପ୍ରାନ୍ତ ନାଟକ ମନକୁ ଅକୃଷ୍ଠ କରିଥିଲା । ଏହି ଶିବିରରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଶତାଧିକ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଯୋଗଦେଇଥିଲେ ।ସାଇବର ସୁରକ୍ଷା ଅଭିଯାନ, ଓଡିଶା ୨୦୨୫ ପକ୍ଷରୁ ପ୍ରାମାଣିକ ଭିଡିଓ ପ୍ରଦର୍ଶିତ କରାଯାଇ ସଚେତନା କରାଯାଇଥିଲା ।ଗୃହରକ୍ଷୀ ପ୍ରମୋଦ କୁମାର ସେଠୀଙ୍କ ସମେତ ସମସ୍ତ ପୋଲିସ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନରେ ସହଯୋଗ କରିଥିଲେ ।
