ଗାଦିବ୍ରହ୍ମ ମଠରେ ବାଇଦାସଙ୍କ ମାତୃଶ୍ରାଦ୍ଧ
ପବିତ୍ର ଅଂଳା ନବମୀ ମହୋତ୍ସବ ପାଳିତ
ଡେଲାଙ୍ଗ, (ନି.ପ୍ର): ଡେଲାଙ୍ଗ ବ୍ଲକ୍ର ପ୍ରସିଦ୍ଧ ବେନୁପଡ଼ା ଗାଦିବ୍ରହ୍ମ ମଠ ପରିସରରେ ପବିତ୍ର ଅଂଳା ନବମୀ ମହୋତ୍ସବ ,ମଠର ପ୍ରତିଷ୍ଠାତା ଓ ଭବିଷ୍ୟ ମାଳିକା ରଚୟିତା ମହାପୁରୁଷ ବାଇଦାସଙ୍କ ମାତୃଶ୍ରାଦ୍ଧ, ୫ମ ମହାପୁରୁଷ ନୀଳାଦ୍ରୀ ଦାସଙ୍କ ଶ୍ରାଦ୍ଧ ପାରମ୍ପରିକ ନୀତିକାନ୍ତି ସହ ଅନୁଷ୍ଠିତ ହୋଇଛି । ଭୋର୍ ୫ଟାରେ ମଠରେ ଅଧିଷ୍ଠିତ ୫ ମହାପୁରୁଷଙ୍କ ଗାଦି ଓ ରାଧାକୃଷ୍ଣଙ୍କ ଦ୍ୱାରଫିଟା, ମଙ୍ଗଳ ଆଳତୀ, ମଇଲମ, ସ୍ନାନ, ଫୁଲ ଓ ତୁଳସୀ ଲାଗି, ବାଳଧୂପ, ବିଭୂତି ପ୍ରଦାନ, ପଖାଳ ଭୋଗ, ମଧ୍ୟାହ୍ନ ଧୂପ, ସଂଧ୍ୟାରେ ଚୁଡ଼ା ଓ ଗୁଡ଼ ଭୋଗ, ବିଳମ୍ବିତ ରାତିର ବଡ଼ ମହୋତ୍ସବ ଓ ପ୍ରସାଦ ବିତରଣ ଆଦି ନୀତିକାନ୍ତି ସମ୍ପନ୍ନ ହୋଇଛି । ମହାପୁରୁଷ ବାଇଦାସଙ୍କ ମାତୃଶ୍ରାଦ୍ଧ ସହ ୫ମ ମହାପୁରୁଷ ନିଳାଦ୍ରୀ ଦାସଙ୍କ ପାରମ୍ପରିକ ଶ୍ରାଦ୍ଧ, ଜଗଦ୍ଧାତ୍ରୀ ମା’ ବସୁଧାଙ୍କ ପୂଜାର୍ଚ୍ଚନା ସହ ଅଗ୍ନିଦେବଙ୍କ ଆରାଧନା ପରେ ବିଭିନ୍ନ ସମିଧ ଆହୁତି ହୋମ ଅନୁଷ୍ଠିତ ହୋଇଥିଲା । ଏହି ମଠଟି ମାଟିବ୍ରହ୍ମ ବିଶ୍ୱାସ ଉପରେ ଆଧାରିତ ହୋଇଥିବାରୁ କୃଷିଜୀବୀମାନଙ୍କ ଆସ୍ଥା ବିଶ୍ୱାସ ରହିଛି । ସ୍ୱତନ୍ତ୍ର ସମିଧରୁ ପ୍ରସ୍ତୁତ ବିଭୂତି ଏହି ମଠର ମୁଖ୍ୟ ଆକର୍ଷଣ । ଶ୍ରଦ୍ଧାଳୁମାନେ ନିଜ କ୍ଷେତର ରୋଗ ପୋକ ନାଶ ହେଉ କିମ୍ବା ଶିଶୁମାନଙ୍କ ରୋଗ ହେଉ, ଗାଦିବ୍ରହ୍ମଙ୍କ ବିଭୂତି ଏହି ସମସ୍ତ ସମସ୍ୟାର ଉପଚାର ବୋଲି ବିଶ୍ୱାସ ରହିଛି । ବେନୁପଡ଼ାରେ ପ୍ରତିଷ୍ଠିତ ମୂଳ ଗାଦି ସହ ଓଡ଼ିଶା ତଥା ବିଭିନ୍ନ ଜିଲ୍ଲା ଓ ଆଖପାଖ ଗ୍ରାମରେ ୭୫୨ ଶାଖା ଗାଦି ରହିଛି । ଚାଷୀମାନଙ୍କ କ୍ଷେତର ପ୍ରଥମ ଉତ୍ପାଦିତ ଫସଲ ଗାଦିବ୍ରହ୍ମଙ୍କୁ ଅର୍ପଣ କଲେ ଚାଷୀ ପରିବାରର ସମୃଦ୍ଧ ହେବା ବିଶ୍ୱାସ ରହିଥିବାରୁ ଅଂଳା ନବମୀ ଅବସରରେ ବିଭିନ୍ନ ଶାଖା ଗାଦି ଓ ଚାଷୀମାନେ ଉତ୍ପାଦିତ ଫସଲ, ଫଳ, ପନିପରିବା, ଆଦି ଅଁଳା ନବମୀରେ ଅର୍ପଣ କରିଥାନ୍ତି । ମହନ୍ତ ଶ୍ରୀ ଶିଶିର ଦାସ ଗୋସ୍ୱାମୀ ମହାରାଜ ଶ୍ରଦ୍ଧାଳୁ ମାନଙ୍କୁ ମଠର ମୁଖ୍ୟ ଆକର୍ଷଣ ‘ବିଭୁତି’ ପ୍ରଦାନ କରିଥିଲେ । ମାନସିକ ଧାରୀ ପିତାମାତାମାନେ ସେମାନଙ୍କ ଶିଶୁମାନଙ୍କୁ ଆଣି ମଠ ବେଢ଼ା ଓଳାଇବା, ପରିବା କାଟିବା ଆଦି କରସେବା ପରମ୍ପରାରେ ନିୟୋଜିତ କରାଇବା ଦେଖିବାକୁ ମିଳିଥିଲା । ମନ୍ଦିର ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଗାଦିବ୍ରହ୍ମ ଯୁବ ପରିଷଦ ପକ୍ଷରୁ ଶ୍ରଦ୍ଧାଳୁଙ୍କୁ ସହାୟତା ଦିଆଯାଉଛି । ଡେଲାଙ୍ଗ ପୋଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷାକରିବା ପୋଲିସ ବାହିନୀ ଉପସ୍ଥିତଥିଲେ । ଚଳିତ ବର୍ଷ ୫୦ ହଜାରରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ପରିଲକ୍ଷିତ ହୋଇଥିଲା ।
