ବାଲେଶ୍ୱର ରାଜନୀତି ପୃଷ୍ଠାରେ ପୂର୍ବତନ ସାଂସଦ ଇଂ ରବୀନ୍ଦ୍ର କୁମାର ଜେନା!
ବିଗତ ଦିନରେ ଚାକିରି ଜୀବନ ଭିତରେ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ନିଜକୁ ସାମିଲ କରିବା ସହ ଜନସେବା ଜାରି ରଖିଥିବା ନଜିର ରହିଥିବା ବେଳେ, ଜଗନ୍ନାଥ ସଂସ୍କୃତି ପରମ୍ପରାକୁ ପ୍ରଚାର ଓ ପ୍ରସାର କରିବା କ୍ଷେତ୍ରରେ ବାଲେଶ୍ଵରରେ ଦୁଇ ଥର ଜଗନ୍ନାଥଙ୍କ ବତିଶ ବେଶ କାର୍ଯ୍ୟକ୍ରମ ଆୟୋଜନ କରି ଶ୍ରୀ ଜେନା ଉତ୍ତର ଓଡ଼ିଶାର ଘରେ ଘରେ ନିଜର ପରିଚୟ ସୃଷ୍ଟି କରିପାରିଥିବା କଥାକୁ ଏଡ଼ାଇ ଦିଆଯାଇ ନପାରେ। ଶ୍ରୀ ଜେନା ୨୦୦୯ ମସିହାରେ ରାଜନୀତିରେ ପାଦଥାପିବା ପାଇଁ ଇଛା କରିଥିଲେ ମଧ୍ୟ ଜିଲ୍ଲାର ତତ୍କାଳୀନ ଜଣେ ବରିଷ୍ଠ ନେତାଙ୍କ ପ୍ରବଳ ବିରୋଧ ଯୋଗୁଁ ସେତେବେଳେ ରାଜନୀତିକୁ ଆସିପାରି ନଥିଲେ ସତ, କିନ୍ତୁ ବିଳମ୍ବରେ ହେଲେ ବି ସ୍ଥାନୀୟ ଆଇଟିଆଇ ପଡ଼ିଆରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ୨୦୧୪ ରେ ବିଜେଡ଼ି ଟିକେଟରୁ ଲଢି ବାଲେଶ୍ଵର ସାଂସଦ, ପୁଣି କିଛି ଦିନ ପରେ ବିଜେଡ଼ିର ଜିଲ୍ଲା ସଭାପତି ତ ଅନ୍ୟପଟେ ନିଜର ଦକ୍ଷତା ପ୍ରତିପାଦନ କରି ଶ୍ରେଷ୍ଠ ସାଂସଦ ଭାବେ ସମ୍ମାନିତ। ସାଂଗଠନିକ କ୍ଷେତ୍ରରେ ପୂର୍ବତନ ସାଂସଦ ଶ୍ରୀ ଜେନାଙ୍କର ବେଶ ଦକ୍ଷତା ରହିଥିବା ସତ୍ତ୍ବେ ୨୦୧୯ ରେ ବାଲେଶ୍ଵର ସଂସଦୀୟ କ୍ଷେତ୍ରରେ ବିଜେପିକୁ ଚେକମେଣ୍ଟ ଦେଇପାରି ନଥିବା ବେଳେ, ନିର୍ବାଚନରେ ଶ୍ରୀ ଜେନା ହାରିଯାଇ ଥିଲେ। ଶ୍ରୀ ଜେନା ନିର୍ବାଚନରେ ହାରିଯାଇ ଥିଲେ ବି ଆଜିର ଦିନରେ ଶ୍ରୀ ଜେନାଙ୍କର ଲୋକପ୍ରିୟତା ରହିଥିବା ଲକ୍ଷ୍ୟ କରାଯାଉଛି। କେବଳ ସେତିକି ନୁହେଁ ଜିଲ୍ଲାର ସିମୁଳିଆ ଠାରୁ ଭୋଗରାଇ ପର୍ଯ୍ୟନ୍ତ ସବୁ ନିର୍ବାଚନ ମଣ୍ଡଳୀରେ ଶ୍ରୀ ଜେନାଙ୍କର ସମର୍ଥକ ରହିଥିବା କହିଲେ ଅତ୍ୟୁକ୍ତି ହେବନାହିଁ। ବସ୍ତା ଶ୍ରୀ ଜେନାଙ୍କର ସାଂଗଠନିକ ଗଡ ହୋଇଥିବା ବେଳେ, ଗତ ନିର୍ବାଚନରେ ବିଜେଡିରୁ ଲଢୁଥିବା ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଅନେକ ଦଳୀୟ ପ୍ରାର୍ଥୀ ହାରିଯାଇଥିଲେବି ସେମାନେ ଏବେବି ଶ୍ରୀ ଜେନାଙ୍କର ସମର୍ଥନରେ। ଜିଲ୍ଲାର ବହୁ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟଙ୍କ ସମେତ ବହୁ ପୌରପାଳିକା ଅଧ୍ୟକ୍ଷ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ଏପରିକି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜେନାଙ୍କର ସମର୍ଥନରେ। ତେବେ ବାଲେଶ୍ଵର ରାଜନୀତିରେ ଶ୍ରୀ ଜେନାଙ୍କର ଯେ, ଗୋଟିଏ ଗୁରୁତ୍ବପୂର୍ଣ୍ଣ ତଥା ନିର୍ଣାୟକ ଭୂମିକା ରହିଛି ଏକଥାକୁ ଏଡ଼ାଇ ଦିଆଯାଇ ନପାରେ!
ବାଲେଶ୍ୱର ରୁ ସ୍ୱତନ୍ତ୍ର ପ୍ରତିନିଧି ସମ୍ବିତ ବେହେରାଙ୍କ ରିପୋର୍ଟ।।
