ଉପଜିଲ୍ଲାପାଳଙ୍କ ସୋର ତହସିଲ ପରିଦର୍ଶନ
ସୋର(ନିପ୍ର) – ଆଜି ବାଲେଶ୍ଵର ଉପଜିଲ୍ଲାପାଳ ଶିଭ ମାଲଭ୍ୟା ସୋର ତହସିଲ ପରିଦର୍ଶନ କରି ବିଭିନ୍ନ ଉନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହିତ କାଗଜପତ୍ର ଯାଞ୍ଚ କରିଥିଲେ। ଉପ ଜିଲ୍ଲାପାଳ ଶିଭ ମାଲଭ୍ୟା ସୋରର ବିଭିନ୍ନ ସ୍ଥାନରେ କ୍ଷେତ୍ର ପରିଦର୍ଶନ କରିଥିବା ବେଳେ ପ୍ରଥମେ ସୋର ତହସିଲରେ ବିଭିନ୍ନ କାଗଜପତ୍ର ଯାଞ୍ଚ କରି ତହସିଲଦାରଙ୍କ ସହ ଉନ୍ନୟନମୁଳକ କାର୍ଯ୍ୟ ବାବଦରେ ଆଲୋଚନା କରିଥିଲେ। ପରେ ପୁରୁବାଇ କନ୍ୟାଶ୍ରମ ପରିସରରେ ପହଞ୍ଚି ପିଲାମାନଙ୍କର ଖାଇବା ପିଇବା ଏବଂ ପାଠପଢ଼ା ସଂପର୍କରେ ପଚାରି ବୁଝିଥିଲେ। ଏହି ସମୟରେ ଶ୍ରେଣୀ ଗୃହ ଅଭାବରୁ ଗୋଟିଏ ଶ୍ରେଣୀରେ ତିନୋଟି କ୍ଲାସର ପିଲା ପାଠ ପଢୁଥିବା ଦେଖିଥିଲେ। ସେହିପରି ପ୍ରଥମରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ୮୨ ଜଣ ପିଲାଙ୍କୁ ମାତ୍ର ୩ ଜଣ ଶିକ୍ଷୟିତ୍ରୀ ପାଠ ପଢାଉଥିବା ଦେଖି ଏହାର ସମାଧାନ ପାଇଁ ଆଲୋଚନା କରିଥିଲେ। ଏହି ସମୟରେ ସୋର ତହସିଲଦାର ଦୈତାରୀ ମଲ୍ଲିକ ତାଙ୍କ ସହିତ ଉପସ୍ଥିତ ଥିଲେ।
