ମୋତିଆବିନ୍ଦୁ ଅପରେସନ ନାଁରେ ହଜାର ହଜାର ଟଙ୍କା ଠକୁଛି ଚକ୍ଷୁ ଚିକିତ୍ସାଳୟ
ସୋର,୬/୧୦(ନିପ୍ର): ଲୋକମାନଙ୍କୁ ମାଗଣା ମୋତିଆବିନ୍ଦୁ ଅପରେସନ କରିବାର ପ୍ରତିଶୃତିରେ ଆଣି , ଅପରେସନ ସରିଲେ ହଜାର ହଜାର ଟଙ୍କା ଠକୁ ଥିବା ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ସୋରରୁ । ଅଭିଯୋଗ ଅନୁସାରେ ସୋର ବ୍ଲକ ନଟାପଡା ଗ୍ରମାର ବାସନ୍ତି ବେହେରା(୭୦)ଙ୍କର ଆଖିରେ ମୋତିଆବିନ୍ଦୁ ହୋଇଥିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଗତ ୪ ତାରିଖରେ ସୋର ଉତ୍ତରେଶ୍ୱର ନିକଟରେ ଥିବା ଭୁମିକା ଚକ୍ଷୁ ଚିକିତ୍ସାଳୟରେ ମୋତିଆବିନ୍ଦୁ ଅପରେସନ ହୋଇଥିଲେ। ଅପରେସନ ପରେ ତାଙ୍କ ଆୟୁଷ୍ମାନ କାର୍ଡରୁ ପ୍ରଥମେ ୮ ହଜାର ୩ ଶହ ଟଙ୍କା ଚିକିତ୍ସା ପାଇଁ କଟିଥିଲା ପରେ ପୁନଶ୍ଚ ୨୭ ହଜାର ୪ ଶହ ଟଙ୍କା କଟିଥିବାର ମେସେଜ ପାଇ କେଉଁ କାରଣରୁ ଟଙ୍କା କଟିଲା ସେ ବାବଦରେ ଜାଣିବାକୁ ବାସନ୍ତିଙ୍କ ନାତି ରଜତ ବେହେରା ଚକ୍ଷୁ ଚିକିତ୍ସାଳୟକୁ ପଚାରିବା ସହିତ ବିଲ ମାଗିବାରୁ ସେମାନେ ବିଲ ଦେବାକୁ ମନା କରିବା ସହିତ ସିଡିଏମଓଙ୍କୁ ଏବାବଦରେ ପଚାରିବାକୁ କହିଥିଲେ। ଫଳରେ ସେ ଠକେଇର ଶିକାର ହୋଇଥିବା ନେଇ ଅଭିଯୋଗ କରିଛନ୍ତି। ଏନେଇ ଭୁମିକା ଚକ୍ଷୁ ଚିକିତ୍ସାଳୟର ପରିଚାଳକ ଦିପ୍ତିରଞ୍ଜନ ପଣ୍ଡାଙ୍କୁ ପଚାରିବାରୁ ତାଙ୍କ ଚିକିତ୍ସା ପାଇଁ ୮ ହଜାର ୩ ଶହ ଟଙ୍କା କଟିଛି ବାକି ଟଙ୍କା ଭୁଲ ବଶତଃ କଟିଛି ଯାହା ତାଙ୍କୁ ରିଫଣ୍ଡ ହୋଇଯିବ ବୋଲି କହିଥିଲେ।
