ଦୁର୍ଗାପୂଜାରେ ପରିବାର ସହ ପୂଜା ଦେଖା ପରେ ଅଜଣା ଡମ୍ଫର ଧକ୍କାରେ ଯୁବକଙ୍କ ମର୍ମନ୍ତୁଦ ମୃତ୍ୟୁ
ସୋର(ଭଞ୍ଜଦୂତ, ନିପ୍ର): ପରିବାର ସହ ଦୁର୍ଗାପୂଜା ଦେଖିବାକୁ ଆସିଥିଲେ ଉଦିତ ହେଲେ ରାତିରେ ପରିବାରକୁ ଫେରିଲା ବେଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ଜୀବନ। ଏମିତି ଏକ ଛାତିଥରା ଘଟଣା ଘଟି ଯାଇଛି ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ମାଟିଆପଲ୍ଲା ଛକ ନିକଟରେ ଯେଉଁଥିରେ ଏକ ଅଜଣା ଡମ୍ପର ଧକ୍କାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଯାଇଛି। ସୂଚନା ଅନୁସାରେ ନବମୀ ପୂଜାରେ ନିଜ ସ୍ତ୍ରୀ, ବାପା ମାଆଙ୍କ ସହ ପୂଜା ବୁଲିବାକୁ ସୋର ଆସିଥିଲେ ବାହାନଗା ବ୍ଲକ ଚିତ୍ତଳ ପଞ୍ଚାୟତ ଡିଆଁପାହି ଗ୍ରାମର ଉଦିତ ନାରାୟଣ ନାୟକ (୨୨), ପୂଜା ଦେଖା ସରିଲା ପରେ ସାଙ୍ଗ ମାନଙ୍କ ସହ ରହି ପଛରେ ଘରକୁ ଫେରିବାକୁ ପରିବାରକୁ ଜଣାଇଥିଲେ। ବାପା, ମାଆ, ସ୍ତ୍ରୀ ଶୀଘ୍ର ଫେରି ଆସିବାକୁ କହିଥିଲେ, ମାତ୍ର ବାଇକରେ ଘରକୁ ଫେରୁଥିବା ବେଳେ ଉକ୍ତ ସ୍ଥାନରେ ଡାଇଭର୍ସନ ପାର ହେଉଥିଲେ। ଏହି ସମୟରେ ପଛରୁ ଆସୁଥିବା ଏକ ଡମ୍ପର ତାଙ୍କ ବାଇକକୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ଉଦିତଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଜାତୀୟ ରାଜପଥ ପୋଲିସ ପେଟ୍ରୋଲିଂ ଗାଡ଼ି ତାଙ୍କୁ ଉଦ୍ଧାର କରି ସୋର ମେଡ଼ିକାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଶବକୁ ବ୍ୟବଛେଦ ପାଇଁ ରଖିଥିଲେ। ଏ ବାବଦରେ ଉଦିତଙ୍କ ପରିବାର ତରଫରୁ ସୋର ଥାନାରେ ଅଭିଯୋଗ କରିବା ପରେ ପୁଲିସ ୭୯୭/୨୫ ରେ ଏକ ମାମଲା ରୁଜ୍ଜୁ କରି ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ ଉଦିତ ବାପା ମାଆଙ୍କର ଏକ ମାତ୍ର ପୁତ୍ର ଥିଲେ ଏବଂ ତିନି ବର୍ଷ ତଳେ ବିବାହ କରିଛନ୍ତି। ଉଦିତଙ୍କ ମୃତ୍ୟୁରେ ପରିବାର ତଥା ଗାଁ ଲୋକେ ଦୁଃଖରେ ସ୍ତବ୍ଧ ହୋଇଯାଇଛନ୍ତି।
