ବିଛା ମନ୍ତ୍ର ନ ଜାଣି ସାପ ଗାତରେ ହାତ: ବିବାଦୀୟ ନର୍ସିଂହୋମରେ ଭୁଲ ଅସ୍ତ୍ରୋପଚାରକୁ ନେଇ ଉତ୍ତେଜନା
ସୋର(ଜ୍ୟୋତିପ୍ରକାଶ, ନିପ୍ର): ଅସ୍ତ୍ରୋପଚାର ପାଇଁ ରୋଗୀଙ୍କ ପେଟ କାଟି ଦେଇ ଡାକ୍ତର ଛୁ ମାରିବା ଘଟଣା ଦେଖିବାକୁ ମିଳିଛି ସୋର ଅଞ୍ଚଳରେ। ଅସ୍ତ୍ରୋପଚାର ପାଇଁ ଆସିଥିବା ଜଣେ ରୋଗୀଙ୍କ ଅସମ୍ପୂର୍ଣ୍ଣ ଅସ୍ତ୍ରୋପଚାର କରି ନିଜ ନର୍ସିଂହୋମ ଛାଡ଼ି ଡାକ୍ତର ପ୍ରଭାକର ମିଶ୍ର ଫେରାର ହୋଇଯାଇଥିବା ଦେଖିବାକୁ ମିଳିଛି। ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ପୌରାଞ୍ଚଳ ମିଶ୍ର ନର୍ସିଂହୋମରେ। ବିଭିନ୍ନ ସମୟରେ ଭୁଲ ଅସ୍ତ୍ରୋପଚାର କରି ବିବାଦକୁ ଟାଣି ହୋଇ ଆସିଥିବା ଏହି ନର୍ସିଂହୋମରେ ଆଜିର ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ସୂଚନା ଅନୁସାରେ ସୋର ଥାନା ଅଙ୍କବ୍ରହ୍ମପୁର ଗ୍ରାମର ଭଗବାନ ଜେନାଙ୍କ ପେଟ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଗତ ଶନିବାର ଦିନ ମିଶ୍ର ନର୍ସିଂହୋମରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ପେଟରେ ପଥର ଜମିଥିବାରୁ ଡାକ୍ତର ତାଙ୍କୁ ଅସ୍ତ୍ରୋପଚାର ପାଇଁ ପରାମର୍ଶ ଦେଇଥିଲେ। ଫଳରେ ଆଜି ତାଙ୍କର ଅସ୍ତ୍ରୋପଚାର ପାଇଁ ପ୍ରସ୍ତୁତି କରାଯାଇଥିଲା। ଅପରେସନ ରୁମରେ ଭଗବାନଙ୍କ ପେଟ କାଟିବା ପରେ ଏହା ଜଟିଳ ଥିବାରୁ ଡାକ୍ତର ଜଣଙ୍କ ଅସ୍ତ୍ରୋପଚାର ଛାଡି ଫେରାର ହୋଇଯାଇଥିଲେ। ଏ ବାବଦରେ ପରିବାର ଲୋକେ ଜାଣିବା ପରେ ନର୍ସିଂହୋମ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରିବାର ଲୋକେ ଏ ବିଷୟରେ ସୋର ଥାନାରେ ଅଭିଯୋଗ କଲା ପରେ ପୋଲିସ ଘଟଣା ସ୍ଥଳରେ ପହଁଚିଥିବା ଜଣାପଡିଛି। ଉକ୍ତ ନର୍ସିଂହୋମରେ ମଧ୍ୟ କେତେ ଜଣ ମେଡିକାଲ ସାର୍ଟିଫିକେଟ ନ ଥାଇ ଅନଭିଂଜ୍ଞ କର୍ମଚାରୀଙ୍କ ବେପରୁଆ କାର୍ଯ୍ୟ ପାଇଁ ଅନେକ ରୋଗୀଙ୍କ ଜୀବନ ବିପଦ ମୁହଁକୁ ଠେଲି ହୋଇଯାଉଛି।ଆଗରୁ ମଧ୍ୟ ଉକ୍ତ ନର୍ସିଂହୋମରେ ୨୦୨୨ ମସିହାରେ ସୋର ବ୍ଲକ ନଟାପଡ଼ା ପଞ୍ଚାୟତ ୱାଦା ଗ୍ରାମର ପ୍ରଶାନ୍ତଙ୍କ ପତ୍ନୀ ତୃପ୍ତିମୟୀ ସାହୁ ପ୍ରସୂତି ଭାବେ ଭର୍ତ୍ତି ହୋଇଥିଲେ ମାତ୍ର ଭୁଲ ଅସ୍ତ୍ରୋପଚାର ପାଇଁ ଭୁବନେଶ୍ୱରର ସ୍ଥାନାନ୍ତର ହୋଇ ମୃତ୍ୟୁବରଣ କରିଥିଲେ ଏ ଘଟଣା ପାଇଁ ସେ ସମୟରେ ଉକ୍ତ ନର୍ସିଂହୋମକୁ ସିଲ କରାଯାଇଥିଲା। ମାତ୍ର ସ୍ୱାସ୍ଥ୍ୟ ବିଭାଗର କିଛି ଅସାଧୁ କର୍ମଚାରୀଙ୍କ ସହ ମଧୁଚନ୍ଦ୍ରିକା ପାଇଁ ପୁଣି ଥରେ ସୋରରେ ନିଜର ସ୍ୱାସ୍ଥ୍ୟ ସେଵା ନାମରେ ବ୍ୟବସାୟ ଆଧିପତ୍ୟ ପ୍ରସାର କରି ରୋଗୀ ମାନଙ୍କୁ ଲୁଟିବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଲାଗିରହିଛି। ଏ ବିଷୟରେ ଜିଲ୍ଲା ପ୍ରଶାସନ ସହ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି।
