
ବାଘୁଆ-ନୁଆସାହି-ବିଛାଖଣ୍ଡି ରାସ୍ତା ଶୋଚନୀୟ
ଯାଜପୁର/ ଧର୍ମଶାଳା
ଧର୍ମଶାଳା ବ୍ଲକ ର ଚକ୍ରଧର ପୁର ଗ୍ରାମ ପଂଚାୟତ ରେ ଅବସ୍ଥିତ ନୁଆସାହି ଗ୍ରାମ। ଏଥିରେ ବସବାସ କରୁଥିବା ଅଧିକାଂଶ ଲୋକ ଗରିବ ଖଟିଖିଆ ଶ୍ରେଣୀର। ବାଘୁଆ ଠାରୁ କୁସୁନପୁର ନୁଆସାହି ମଧ୍ୟ ଦେଇ ବିଛାଖଣ୍ଡି ପର୍ଯ୍ୟନ୍ତ ଯାଇଥିବା ରାସ୍ତା ଉପରେ ଯାତାୟାତ ପାଇଁ ନିର୍ଭର କରିଥାନ୍ତି ଏଠିକାର ଲୋକମାନେ। ଦୀର୍ଘ ଦିନ ହେଵ ରାସ୍ତା ଟି ନଷ୍ଟ ହୋଇ ଆଣ୍ଠୁଏ ଆଣ୍ଠୁଏ ଖାଲ ସହ ପାଣି କାଦୁଅରେ ଭରୀ ରହିଅଛି। କବାଟବନ୍ଧ ଡାକ୍ତର ଖାନା ଯିବାକୁ ହେଉ କିମ୍ବା ଆମ୍ବୁଲାନ୍ସ ଟି ଗାଁ ରେ ପହଂଚିବାକୁ ହେଉ ବହୁ ଅସୁବିଧା ଭୋଗୁଛନ୍ତି ଏଠିକାର ଅଧିବାସୀ ମାନେ।ପଂଚାୟତ ଠାରୁ ନେଇ ବ୍ଲକ ପର୍ଯ୍ୟନ୍ତ, ସରପଞ୍ଚ ଠୁ ନେଇ ବିଧାୟକଙ୍କ ପର୍ଯ୍ୟନ୍ତ କେହି କର୍ଣପାତ କରୁନାହାନ୍ତି ଏଠିକାର ଲୋକଙ୍କ ଅଭିଯୋଗ କୁ। କୁସୁନପୁର ଓ ବିଛଖଣ୍ଡି ମଧ୍ୟରେ ରହିଛି ଶତାଧିକ କ୍ରସର ସହ ବହୁ ବିନା ଲିଜ ଥିବା କଳାପଥର ଖାଦାନ। ଦୈନିକ ଶହ ଶହ ହାଇୱା ଗାଡ଼ିରେ ଅନୁମତି ଠାରୁ ବହୁ ଅଧିକ ମାଲ ଲୋଡ଼ ହୋଇ ଦିନ ରାତି ପ୍ରଶାସନ ଆଖି ଆଗରେ ଚାଲିଛି ଚୋରା କାରବାର। ଯାହା ଫଳରେ ରାସ୍ତାଟି ସମ୍ପୂର୍ଣ ଖରାପ ହୋଇଯାଇଛି। ମହରମ, କଳାପଥର ମାଫିଆ ମାନଙ୍କ କବ୍ଜାରେ ବର୍ତ୍ତମାନ ସମ୍ପୂର୍ଣ ଅଞ୍ଚଳ। ବିରୋଧ କଲେ ମିଛ କେଶ ରେ ଜେଲ ପଠାଯିବା ସହ ଧମକ ମଧ୍ୟ ମିଳୁଥିବାର ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ। ପୂର୍ବରୁ ରାସ୍ତା ଟି ପଂଚାୟତ ଅଧୀନରେ ଥିବା ବେଳେ ଏବେ ଏହା ଗ୍ରାମ୍ୟ ଉନ୍ନୟନ ବିଭାଗ ବିଭାଗ ଅଧୀନରେ ଥିବା ଶୁଣିବାକୁ ମିଳୁଛି। ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗ କହିବା ମୁତାବକ ରାସ୍ତା କାମ ପାଇଁ ଟେଣ୍ଡର ହୋଇଅଛି, କିଛି ଅସୁବିଧା ପାଇଁ କାମଟି ଆଗେଇ ପାରୁନି ଖୁବଶୀଘ୍ର କାମ ଆରମ୍ଭ କରାଯିବ।