ସୋର (ଜ୍ୟୋତି ପ୍ରକାଶ ଦୀକ୍ଷିତ) : ଆଗାମୀ ଖରିଫ ଧାନ ବିକ୍ରି କରିବା ପାଇଁ ଚାଷୀ ନିଜରନାମ ଓ ଜମିର ପରିମାଣ ପଞ୍ଜିକରଣ କରିବା ନିମନ୍ତେ ସରକାର ଚଳିତ ଜୁଲାଇ ୧୯ ତାରିଖରୁ ଅଗଷ୍ଟ ୨୦ ତାରିଖ ଯାଏ ସମୟ ସୀମା ନର୍ଦ୍ଧାରଣ କରିଛନ୍ତି। ଏହି ସମୟସୀମା ମଧ୍ୟରେ ଚାଷୀ ନିଜ ଅଂଚଳର ଥିବା ସେବାସମବାୟ ସମିତି, ମହିଳାସ୍ୱୟଂସହାୟକ ଗୋଷ୍ଠୀ ଓ ଲ୍ୟାମ୍ପସ ନିକଟରେ ଚାଷୀ ନାମ ପଞ୍ଜିକରଣ କରିବାକୁ ଚିଠି ମାଧ୍ୟମରେ ନିର୍ଦ୍ଦେଶନାମା ଜାରି କରିଛନ୍ତି। ମାତ୍ର ଏହି ପଞ୍ଜିକରଣ ନିମନ୍ତେ ସରକାର ଯେଉଁ କଟକଣା ଜାରି କରିଛନ୍ତି ତାହା ସରକାରଙ୍କର ଚାଷୀମାରଣ ନୀତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଲୋକଙ୍କର ସରକାର ବୋଲି ଡିଣ୍ଡିମ ପିଟୁଥିବା ଏ ସରକାର ଚାଷୀଙ୍କ ନିମନ୍ତେ ଧାନବିକ୍ରି ପାଇଁ ପଞ୍ଜିକରଣକୁ ସରଳୀକରଣ ନକରି ବରଂ ଜଟିଳ କରିଥିବାରୁ ଚାଷୀ ତହସିଲରୁ ସେବାସମବାୟ ସମିତିକୁ ଦୌଡ଼ିବାକୁ ପଡ଼ୁଛି। ସରକାରଙ୍କର ଏହି ନୂଆ ନିୟମ ଯୋଗୁଁ ସୋର ବ୍ଲକର ୨୪ ଗୋଟି ପଂଚାୟତ ଓ ମ୍ୟୁନିସପାଲଟିର ଥିବା ୧୯ ଗୋଟି ୱାର୍ଡ଼ର ଥିବା ୭ ଗୋଟି ସେବାସମବାୟ ସମିତି ଅଧୀନରେ ଥିବା ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ କୁହୁଳିବାରେ ଲାଗିଛି। ରାଜ୍ୟ ସରକାର ପଞ୍ଜିକରଣର ଏହି ନିୟମକୁ ପରିବର୍ତ୍ତନ ନକଲେ ବାଧ୍ୟ ହୋଇ ଚାଷୀ ରାଜରାସ୍ତାକୁ ଓହ୍ଲେଇବେ ବୋଲି ନଦୀଗାଁ ଗ୍ରାମର ଅଗ୍ରଣୀ ଚାଷୀ ଉଦୟ ଚନ୍ଦ୍ର ମଣ୍ଡଳ ଏବଂ ଶ୍ରୀକାନ୍ତ ବାରିକଙ୍କ ସମେତ ବହୁ ଚାଷୀ ଖୋଲାଖୋଲି ଚେତାବନୀ ଦେଇଛନ୍ତି। ୨୦୨୫-୨୬ ର ଖରିଫ ଧାନ ସରକାରଙ୍କୁ ସେବାସମବାୟ ସମିତି ଜରିଆରେ ବିକ୍ରି କରିବା ପାଇଁ ଆସିଥିବା ନିର୍ଦ୍ଦେଶନାମାରେ ମୃତ ଚାଷୀଙ୍କ ନାମରେ ଥିବା ଜମିର ଉତ୍ତରାଧିକାରୀର ପ୍ରମାଣପତ୍ର ଦାଖଲ କରିବାକୁ ହେବ। ଏହି ଉତ୍ତରାଧିକାରୀ ପ୍ରମାଣପତ୍ର ତହସିଲରୁ ବାହାର କରିବାକୁ ପଡ଼ୁଥିବାରୁ ଚାଷୀ ତହସିଲରୁ ଆରଆଇ ଅଫିସକୁ ଦୌଡିବାକୁ ପଡ଼ୁଛି। ଯାହାକି ବାସ୍ତବପକ୍ଷେ ବହୁମାତ୍ରାରେ ସମୟ ଓ ବ୍ୟୟ ସାପେକ୍ଷ ଅଟେ। ଏପରିକି ଏହି ଉତ୍ତରାଧିକାରୀ ପ୍ରମାଣପତ୍ର ପାଇଁ ଅନେକ କ୍ଷେତ୍ରରେ ପରିବାରର ସଦସ୍ୟମାନଙ୍କର ଅନୁମତି ଆବଶ୍ୟକ ଥିବାରୁ ତାହା ମଧ୍ୟ କଷ୍ଟକର ଅଟେ। ପରିବାରର ସଦସ୍ୟଙ୍କ ମଧ୍ୟରୁ କେହିନାକେହି ବାହାର ରାଜ୍ୟରେ କିମ୍ବା ବିଦେଶରେ ଥିବାରୁ ସେମାନଙ୍କର ଅନୁମତି ଆଣିବା ଯେମିତି କଷ୍ଟକର ସେହିପରି ଏହି ଉତ୍ତରାଧିକାରୀ ପ୍ରମାଣପତ୍ରରେ ମଧ୍ୟ ବିବାହିତ ଝିଅମାନଙ୍କର ଅନୁମତି ଆବଶ୍ୟକ ଥିବାରୁ ତାହା ମଧ୍ୟ ଅନେକ କ୍ଷେତ୍ରରେ ସମ୍ଭବପର ହୋଇପାରୁନଥିବାର ଅଭିଯୋଗ ହେଉଛି। ଯାହାଦ୍ୱାରା କି ଚଳିତ ବର୍ଷ ବହୁ ଚାଷୀ ଧାନ ବିକ୍ରି କରିବା ନିମନ୍ତେ ନାମ ପଞ୍ଜିକରଣରୁ ବାଦ ପଡ଼ିଯିବାର ସମ୍ଭାବନା ୃଷ୍ଟି ହୋଇଛି। ଗାଁ ଗହଳିରେ ଥିବା ସେବାସମବାୟ ସମିତିମାନଙ୍କରେ ଏହି ଅନ୍ଲାଇନ ପଞ୍ଜିକରଣରେ ‘ସରବର୍ ସ୍ଲୋ’ ରହୁଥିବାରୁ ଗୋଟିଏ ଦିନରେ ଗୋଟିଏ ଦୁଇଟି ଚାଷୀର ନାମ ପଞ୍ଜିକରଣ କରିବା ସମ୍ଭବ ହେଇଥିବା ସେବାସମବାୟ ସମିତିର ସମ୍ପାଦକ ମାନେ କୁହନ୍ତି। ଏହି ୭ ଗୋଟି ସେବାସମବାୟ ସମିତିରେ ଗତ ୨୦୨୪-୨୫ ରେ ମୋଟ ୮ ହଜାର ଚାଷୀ ନାମ ପଞ୍ଜିକରଣ କରି ଧାନ ସରକାରଙ୍କୁ ବିକ୍ରି କରିଥିଲେ। ସେହି ଅନୁସାରେ ସେହି ଆଠ ହଜାର ଚାଷୀ ସେମାନଙ୍କର ନାମ ପଞ୍ଜିକରଣ କରିବାକୁ କେତେଦିନ ସମୟ ଲାଗିବ ତାହା ମଧ୍ୟ ସମିତିର ସମ୍ପାଦକଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ସରକାର ଚାଷୀଙ୍କୁ ୮ଶହ ଟଙ୍କା ବୋନସ୍ ଦେଇଥିବାରୁ ଚଳିତ ବର୍ଷରେ ଚାଷୀଙ୍କ ସଂଖ୍ୟା କମାଇବା ପାଇଁ ବତ୍ତମାନର ଡବଲଇଞ୍ଜିନ ସରକାର ଏହି ନୀତି ଆପଣାଇଛନ୍ତି ବୋଲି ରାଧାବଲ୍ଲଭପୁର ଗ୍ରାମର ଚାଷୀ ହରିହର ପାତ୍ର ଏବଂ ଅନ୍ୟମାନେ ଅଭିଯୋଗ କରିଛନ୍ତି। ଚାଷୀଙ୍କ ଉପରେ ଏହି ଅଯଥା ନିୟମକୁ ପରିବର୍ତ୍ତନ କରି କିପରି ଚାଷୀମାନେ ସରଳ ଉପାୟରେ ସେମାନଙ୍କର ନାମ ପଞ୍ଜିକରଣ କରିପାରିବେ ସରକାର ସେଥିପ୍ରତି ଦୃଷ୍ଟିଦେବାକୁ ସୋରର ଅଧିକାଂଶ ଚାଷୀ ଦାବି କରିଛନ୍ତି।
