(କଳାହାଣ୍ଡି ଜିଲ୍ଲା କୋକସରା ରୁ ମଣ୍ଟୁ ପାଣିଗ୍ରାହୀ ଭଞୀଦୁତ ଖବର କାଗଜ)
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ
ଗ୍ରାମପଞ୍ଚୟତ ଟେମରା ଅନ୍ତର୍ଗତ ବୋବାରିଆ ଗାଁର ରାସ୍ତା ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଗାଁରେ କଂକ୍ରିଟ୍ ରାସ୍ତା ଥିଲେ ମଧ୍ୟ ରକ୍ଷଣାବେକ୍ଷଣ ଅଭାବରୁ ଏହା ଏବେ ଖାଲଖମାରେ ପରିଣତ ହୋଇଛି। ଅଳ୍ପ ବର୍ଷା ହେଲେ ମଧ୍ୟ ରାସ୍ତା ଉପରେ ପାଣି ଜମି ରହୁଥିବାରୁ ଲୋକଙ୍କ ଯାତାୟାତରେ ନାନା ସମସ୍ୟା ଦେଖାଦେଉଛି।
ରାସ୍ତାର ବିଭିନ୍ନ ସ୍ଥାନରେ ଖାଲ ସୃଷ୍ଟି ହୋଇଥିବା ବେଳେ ବର୍ଷା ହେଲେ ସେହି ଖାଲରେ ପାଣି ଓ କାଦୁଅ ଜମି ରହୁଛି। ଫଳରେ ରାସ୍ତାଟି କଂକ୍ରିଟ୍ ରାସ୍ତା ନହୋଇ ମାଟି ରାସ୍ତାର ରୂପ ନେଇଛି। ଏହି ରାସ୍ତା ଦେଇ ଯାତାୟାତ କରୁଥିବା ବୃଦ୍ଧ, ମହିଳା ଓ ଛାତ୍ରଛାତ୍ରୀ ବିଶେଷ ଭାବେ ହଇରାଣ ହେଉଛନ୍ତି।
ଅନ୍ୟପଟେ ଗାଁରେ ଉପଯୁକ୍ତ ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ସମସ୍ୟା ଆହୁରି ବଢ଼ିଛି। ବର୍ଷାଜଳ ନିଷ୍କାସନ ପାଇଁ ସୁବିଧା ନଥିବାରୁ ରାସ୍ତା ଉପରେ ପାଣି ଦୀର୍ଘ ସମୟ ଧରି ଜମି ରହୁଛି। ଅପରିଷ୍କାର ପାଣି ନିଷ୍କାସିତ ହୋଇନପାରିବାରୁ ଦୁର୍ଗନ୍ଧ ସୃଷ୍ଟି ହେବା ସହ ପରିବେଶ ଦୂଷିତ ହେବାର ଆଶଙ୍କା ମଧ୍ୟ ରହିଛି।
ରାସ୍ତା ଓ ଡ୍ରେନ୍ ସମସ୍ୟା ନେଇ ସ୍ଥାନୀୟବାସୀ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଏଯାଏଁ ସ୍ଥାୟୀ ସମାଧାନ ହୋଇନଥିବା ଅଭିଯୋଗ ହୋଇଛି। ତେଣୁ ତୁରନ୍ତ ରାସ୍ତାର ମରାମତି କରିବା ସହ ଉପଯୁକ୍ତ ଡ୍ରେନ୍ ନିର୍ମାଣ କରି ବର୍ଷାଜଳ ନିଷ୍କାସନର ବ୍ୟବସ୍ଥା କରିବାକୁ ବୋବାରିଆ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି।
