କର୍ତ୍ତବ୍ୟରେ ଅବହେଳା: ନିଲମ୍ବିତ ହେଲେ ବରମୁଣ୍ଡଳି ପିଏମଶ୍ରୀ ଉଚ୍ଚବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ସୁଶାନ୍ତ କୁମାର ଜେନା
ଶେରଗଡ଼ (ରିପୋର୍ଟ:- ରାଜକିଶୋର ସାବତ)
ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ବରମୁଣ୍ଡଳିସ୍ଥିତ ପିଏମଶ୍ରୀ ଉନ୍ନୀତ ଉଚ୍ଚବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଶ୍ରୀ ସୁଶାନ୍ତ କୁମାର ଜେନାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ନିଜ କର୍ତ୍ତବ୍ୟ ପ୍ରତି ଚରମ ଅବହେଳା, ବିଦ୍ୟାଳୟର ନିୟମାବଳୀ ଉଲ୍ଲଂଘନ ଏବଂ ଅନୁଶାସନହୀନତା ଅଭିଯୋଗରେ ଜିଲ୍ଲା ଶିକ୍ଷା ଅଧିକାରୀ (DEO) ଙ୍କ ସୁପାରିଶ କ୍ରମେ ବିଭାଗ ପକ୍ଷରୁ ଏହି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ମିଳିଥିବା ସୂଚନା ଅନୁଯାୟୀ, କ୍ରୀଡ଼ା ଶିକ୍ଷକ ଶ୍ରୀ ଜେନା ବିଦ୍ୟାଳୟର ନିୟମିତ କ୍ରୀଡ଼ା କାର୍ଯ୍ୟକ୍ରମ ପରିଚାଳନାରେ ଅବହେଳା କରିବା ସହ ଛାତ୍ରଛାତ୍ରୀଙ୍କ ଶାରୀରିକ ଶିକ୍ଷା ଦିଗ ପ୍ରତି ଦୀର୍ଘ ଦିନ ଧରି ନିଷ୍କ୍ରିୟ ରହିଥିବା ନେଇ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା। ବିଦ୍ୟାଳୟର ଶିକ୍ଷାଦାନ ପରିବେଶକୁ ଶୃଙ୍ଖଳିତ ରଖିବା ପାଇଁ କରାଯାଇଥିବା ଏକ ପ୍ରାଥମିକ ଯାଞ୍ଚ ସମୟରେ ଏହି ଅଭିଯୋଗର ସତ୍ୟତା ପ୍ରମାଣିତ ହୋଇଥିଲା। ଏହା ପରେ ଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ତାଙ୍କୁ ତୁରନ୍ତ ପ୍ରଭାବରୁ ଚାକିରିରୁ ନିଲମ୍ବନ କରାଯିବା ସହ ନିଲମ୍ବନ କାଳରେ ସେ ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ି ନଯିବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି।ସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କରେ ଶିକ୍ଷାଦାନର ମାନ ଏବଂ ସାମଗ୍ରିକ ଅନୁଶାସନ ପ୍ରତି କୌଣସି ପ୍ରକାରର କୋହଳ ମନୋଭାବ କିମ୍ବା କାର୍ଯ୍ୟରେ ସିଥିଳତାକୁ ବରଦାସ୍ତ କରାଯିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି। କ୍ରୀଡ଼ା ଶିକ୍ଷକଙ୍କ ବିରୋଧରେ ହୋଇଥିବା ଏହି କାର୍ଯ୍ୟାନୁଷ୍ଠାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
