ଗଜପତି (ଟିକି ଲିମା )ରାୟଗଡା: ଗ୍ରାମୀଣ ଅଞ୍ଚଳର ଲୋକମାନେ ସ୍ୱାବଳମ୍ବୀ ଓ ସଶକ୍ତ ହେବା ପାଇଁ, ସେଣ୍ଟର୍ ଫର୍ କମ୍ୟୁନିଟି ଡିଭେଲପମେଣ୍ଟ (ସିସିଡି) ପକ୍ଷରୁ ଲିନ୍ସ ପ୍ରତିଷ୍ଠାନର ସହଯୋଗରେ ଚାଲିଥିବା ପରିବାର କେନ୍ଦ୍ରକରି ଗ୍ରାମର ଉନ୍ନୟନ କାର୍ଯ୍ୟକ୍ରମ (ଏଫ୍ ଏଫ୍ ଭି ଡି ପି) ଅନ୍ତର୍ଗତରେ, ସିସିଡି ନିର୍ଦ୍ଦେଶକ ଶ୍ରୀ ଏ. ଜଗନ୍ନାଥ ରାଜୁଙ୍କ ନିର୍ଦ୍ଦେଶନାକ୍ରମେ ଓ ପ୍ରୋଗ୍ରାମ ମ୍ୟାନେଜର ବିଜୟ ପ୍ରଧାନ ଏବଂ ପ୍ରକଳ୍ପ ଅଧିକାରୀ ବି. ମାନସାଙ୍କ ଉପସ୍ଥିତିରେ, ଏଙ୍ଗାରସିଂ ପଞ୍ଚାୟତର ସଉତ ସାହି, ସର୍ଗୀ ସାହି, ସିଙ୍ଗୁଭୂୟାଁ ସାହି, ଜିରାଙ୍ଗ ପଞ୍ଚାୟତର ଗୁରସାହି, ଉପର ଗାଲଗଣ୍ଡା, ତଳ ଗାଲଗଣ୍ଡା ଏବଂ ଲକ୍ଷ୍ମୀପୁର ପଞ୍ଚାୟତର ସାନ ତପଙ୍ଗ ଗ୍ରାମରେ 500 କିଲୋଗ୍ରାମ ଓଜନ ସମ୍ବଳିତ ଡିଜିଟାଲ ଓଜନ ମେସିନ୍ ବଣ୍ଟନ କରାଯାଇଛି।
ପୂର୍ବରୁ ଗ୍ରାମୀଣ ଉତ୍ପାଦକମାନେ ତାଙ୍କର କୃଷି ଓ ଜଙ୍ଗଲ ଜାତ ଉତ୍ପାଦ ବିକ୍ରି ସମୟରେ ସଠିକ୍ ଓଜନ ନ ହେବାରୁ ନ୍ୟାୟସଂଗତ ମୂଲ୍ୟ ପାଉନଥିଲେ।
ଏହି ପଦକ୍ଷେପ ଦ୍ୱାରା ଗ୍ରାମବାସୀମାନେ ମଧ୍ୟସ୍ଥ ବ୍ୟକ୍ତିମାନଙ୍କ ଠକା ଚାଳିରୁ ବଞ୍ଚିପାରିବେ ଏବଂ ନ୍ୟାୟସଂଗତ ମୂଲ୍ୟରେ ଉତ୍ପାଦ ବିକ୍ରି କରିପାରିବେ।
ଏହି ଓଜନ ମେସିନ୍ଗୁଡିକୁ ପ୍ରତ୍ୟେକ ଗ୍ରାମର ଗ୍ରାମ ଉନ୍ନତି ସମିତି (ଭିଡିସି) ପରିଚାଳନା କରିବେ। ଏହା ମାଧ୍ୟମରେ ଉତ୍ପାଦକ ଓ ବିକ୍ରେତାଙ୍କ ମଧ୍ୟରେ ବିଶ୍ୱାସ ବଢ଼ିବା ସହିତ ନ୍ୟାୟସଂଗତ ବ୍ୟବସାୟ ପ୍ରଥା ଗଠିତ ହେବ ବୋଲି ଆଶା କରାଯାଉଛି।
ସିସିଡି ପକ୍ଷରୁ କୁହାଯାଇଛି ଯେ, ଏହି ପଦକ୍ଷେପଗୁଡ଼ିକ ଗ୍ରାମ ଆଧାରିତ ଅର୍ଥନୈତିକ ଉନ୍ନତି ଓ ସ୍ୱାବଲମ୍ବନ ଲକ୍ଷ୍ୟରେ ଗ୍ରହଣ କରାଯାଇଛି।
