*ନୂଆପଡ଼ାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ୨୦୨୭ ନେଇ ରାଜନୈତିକ ଦଳ ପ୍ରତିନିଧିଙ୍କ ସହ ବୈଠକ*
ନୂଆପଡ଼ା(ମିଖାଏଲ ନନ୍ଦ)
ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାରେ ୨୦୨୭ ମସିହା ପାଇଁ ହେବାକୁ ଥିବା ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ (SSR-୨୦୨୭) ଏବଂ ମତଦାନ କେନ୍ଦ୍ରଗୁଡ଼ିକର ଯୁକ୍ତିସଙ୍ଗତୀକରଣ ପ୍ରକ୍ରିୟା ନେଇ ନୂଆପଡ଼ା ଜିଲ୍ଲାର ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଏକ ବୈଠକ ଜ଼ିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।
ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ୭୧-ନୂଆପଡ଼ା ଓ ୭୨-ଖରିଆର ବିଧାନସଭା ନିର୍ବାଚନମଣ୍ଡଳୀର ନିର୍ବାଚକ ପଞ୍ଜୀକରଣ ଅଧିକାରୀ (ERO)ଙ୍କ ସମେତ ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ଥିଲେ।
ବୈଠକରେ SSR-୨୦୨୭ର ନିର୍ଦ୍ଧାରିତ କାର୍ଯ୍ୟସୂଚୀ, ଭୋଟର ତାଲିକା ସଂଶୋଧନର ବିଭିନ୍ନ ପର୍ଯ୍ୟାୟ ଏବଂ ମତଦାନ କେନ୍ଦ୍ରଗୁଡ଼ିକର ପୁନର୍ଗଠନ ଓ ଯୁକ୍ତିସଙ୍ଗତୀକରଣ ପ୍ରକ୍ରିୟା ସମ୍ପର୍କରେ ପ୍ରତିନିଧିମାନଙ୍କୁ ବିସ୍ତୃତ ଭାବେ ଅବଗତ କରାଯାଇଥିଲା। ଏଥିସହିତ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏହି କାର୍ଯ୍ୟ ସମ୍ପାଦନ ଏବଂ ପ୍ରକ୍ରିୟାରେ ରାଜନୈତିକ ଦଳଗୁଡ଼ିକର ସହଯୋଗ ଓ ସକ୍ରିୟ ଅଂଶଗ୍ରହଣର ଆବଶ୍ୟକତା ଉପରେ ଆଲୋଚନା ହୋଇଥିଲା।
ଆଲୋଚନାରେ ଅଂଶଗ୍ରହଣ କରି ରାଜନୈତିକ ଦଳର ପ୍ରତିନିଧିମାନେ SSR-୨୦୨୭ ଏବଂ ମତଦାନ କେନ୍ଦ୍ର ଯୁକ୍ତିସଙ୍ଗତୀକରଣ ପ୍ରକ୍ରିୟାର ସୁଚାରୁ ସମ୍ପାଦନ ନିମନ୍ତେ ଜିଲ୍ଲା ପ୍ରଶାସନକୁ ଆବଶ୍ୟକୀୟ ସହଯୋଗ ଯୋଗାଇଦେବାକୁ ସମ୍ମତି ପ୍ରକାଶ କରିଥିଲେ।
