ଫୁଲବାଣୀରେ ମାଣ୍ଡିଆ ଦିବସ ପାଳିତ, ଭୁଲିଯାଇଥିବା ପାରମ୍ପରିକ ଫସଲର ପ୍ରଦର୍ଶନୀ ଷ୍ଟଲ୍ ଆକର୍ଷଣର କେନ୍ଦ୍ର
କନ୍ଧମାଳ :୦୯/୧୧/୨୦୨୬
କନ୍ଧମାଳ ଜିଲ୍ଲା ପ୍ରତିନିଧି ମୃତ୍ୟୁଞ୍ଜୟ ଦିଗାଲ ଙ୍କ ରିପୋର୍ଟ
କନ୍ଧମାଳ ଜିଲ୍ଲା ଫୁଲବାଣୀସ୍ଥିତ ଗାନ୍ଧୀ ସ୍ମୃତି ଭବନଠାରେ କନ୍ଧମାଳ ଜିଲ୍ଲା କୃଷି ବିଭାଗ ଓ ଶ୍ରୀ ଅନ୍ନ ଅଭିଯାନ ପକ୍ଷରୁ ମାଣ୍ଡିଆ ଦିବସ-୨୦୨୬ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ୱାତୀ ଅନୁଷ୍ଠାନ ତରଫରୁ କାର୍ଯ୍ୟକାରୀ ହେଉଥିବା ଭୁଲିଯାଇଥିବା ପାରମ୍ପରିକ ଫସଲର ପୁନରଉଦ୍ଧାର ପ୍ରକଳ୍ପ ମାଧ୍ୟମରେ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ଷ୍ଟଲ୍ ଖୋଲାଯାଇଥିଲା । ଏହି ଷ୍ଟଲ୍ କୁ ଫୁଲବାଣୀର ମାନ୍ୟବର ବିଧାୟକ ଉମାଚରଣ ମଲ୍ଲିକ ଉଦ୍ଘାଟନ କରିଥିବା ବେଳେ କନ୍ଧମାଳ ଅଂଚଳର ବିଭିନ୍ନ ଦେଶୀ ବିହନ, ପାରମ୍ପରିକ ଡାଲି ଯାତୀୟ ଶସ୍ୟ. ତୈଳବୀଜ, କନ୍ଦମୂଳ, ଶାଗଜାତୀୟ ଖାଦ୍ୟ ଓ ବିଭିନ୍ନ ଅବହେଳିତ ଫସଲ ପ୍ରଦର୍ଶୀତ ହୋଇଥିଲା । ବିଶେଷ କରି ଖୁଂଟ ବିରି, ବଡ କାନ୍ଦୁଲ, ଝୁଡଙ୍ଗ, ନାଲି ବିରି, ସାନ କାନ୍ଦୁଲ, କୋଳଥ, ଅଳସୀ, ସୋରିଷ ଓ ବିଭିନ୍ନ ଦେଶୀ କନ୍ଦମୂଳ ଭଳି ଫସଲର ପ୍ରଦର୍ଶନୀ ଦର୍ଶକ ଙ୍କ ଆକର୍ଷଣ ସାଜିଥିଲା । ଏହି ପ୍ରଦର୍ଶନୀର ମୁଖ୍ୟ ଉଦେ୍ଦଶ୍ୟ ହେଉଛି ଧୀରେ ଧୀରେ ହଜି ଯାଇଥିବା ପାରମ୍ପରିକ ଖାଦ୍ୟ ଓ ଦେଶୀ ବିହନର ପୁରରୁଦ୍ଧାର, ସଂରକ୍ଷଣ ଏବଂ ଚାଷୀଙ୍କ ମଧ୍ୟରେ ଏହାର ପୁନଃ ପ୍ରଚଳନ କରିବା । ଏଥିସହିତ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇ ଅତିଥି ମାନଙ୍କ ଦ୍ୱାରା ମାଣ୍ଡିଆ ସମେତ ବିଭିନ୍ନ ପାରମ୍ପରିକ ଶସ୍ୟର ପୁଷ୍ଟକର ଗୁଣ, ଖଅଦ୍ୟ ସୁରକ୍ଷା, ଜୈବ ବିବିଧତା ଓ ଆଦିବାସୀ ସମୁଦାୟର ପାରମ୍ପରିକ କୃଷିଜ୍ଞାନର ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିଲା । ମୁଖ୍ୟ ଜିଲ୍ଲା କୃଷି ଅଧିକାରି ପବିତ୍ର ମୋହନ ସାହୁ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବାଲିଗୁଡା ଜିଲ୍ଲା କୃଷି ଅଧିକାରି ଶିତାକାନ୍ତ ରାଉତ, ଜି.ଉଦୟଗିରି ଜିଲ୍ଲା କୃଷି ଅଧିକାରି ସୁନିତା ମିଶ୍ର, କ.ନୁଆଗାଁ ଜିଲ୍ଲା କୃଷି ଅଧିକାରୀ ସନ୍ତୋଷ କୁମାର ଦଳବେହେରା, ସ୍କିମ୍ ଅଫିସର୍ ରଶ୍ମିରଞନ ମହାରଣା ଓ ଟିକାବଲି ବ୍ଲକ୍ କୃଷି ଅଧିକାରି ସ୍ୱାଗତିକା ଦାସ ଅତିଥି ଭାବେ ଯୋଗଦେଇଥିବା ବେଳେ ପରିଚାଳନାରେ କୁଶ ସାନସେଠ୍, ଅନ୍ନପୁର୍ଣ୍ଣା ପ୍ରଧାନ, ସ୍ୱଧର୍ମ ରାଉତ ଓ ବିଶ୍ୱରଞନ ଦଳବେହେରା ପ୍ରମୁଖ ସହଯୋଗ କରିଥିଲେ । କନ୍ଧମାଳର ଚାଷୀ ମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ୨୦୨୬ ମସିହା ନିମନ୍ତେ ସର୍ବୋତମ ଚାଷୀ ଭାବରେ ଟିକାବାଲି ଓ ରାଇକିଆ ବ୍ଲକ୍ ର ମାନେଶ୍ୱର ପ୍ରଧାନ ଓ ସରିତା ପ୍ରଧାନ ଙ୍କୁ ସମ୍ମାନିତ କରାଯାଇଥିଲା । ଅନୁଷ୍ଠାନର ସମ୍ପାଦକ ଇଂ. ହରି ଶଙ୍କର ରାଉତ ଉପସ୍ଥିତ ରହି ପୁରଷ୍କୃତ ହୋଇଥିବା ଚାଷୀ ମାନଙ୍କୁ ସାଧୁବାଦ ଦେବାସହିତ ଅନ୍ୟ କୃଷକ ବନ୍ଧୁ ମାନଙ୍କୁ ଏମାନଙ୍କ ପରି ଉଦାହରଣ ହେବା ପାଇଁ ଆହ୍ୱାନ ଦେଇଥିଲେ ।
